Unknown

 

 

 

 

 

 

 

 

 

 

ମଞ୍ଚ ନାୟିକା

ରତ୍ନାକର ଚଇନି

 

ରୂପ ଶିଳ୍ପୀଗଣ

 

ପ୍ରଫୁଲ୍ଲ

ସେକ୍ରେଟାରୀ

ପ୍ରମୋଦ

ସ୍ମାରକ

ମଦନ

ସଭ୍ୟ

ବନମାଳୀ

ସଭ୍ୟ

ଉଦ୍ଧବ

ସଭ୍ୟ

ତପନ

ସଭ୍ୟ

ଅର୍ଜୁନ

ଲେଖକ

ଗଗନ

ନିର୍ଦ୍ଦେଶକ

ଜୟମଙ୍ଗଳ

୧ମ ଦର୍ଶକ

ବାସୁଦେବ

୨ୟ ଦର୍ଶକ

ଜଗବନ୍ଧୁ

୩ୟ ଦର୍ଶକ

ନିର୍ଦ୍ଦେଶକ:-କୃଷ୍ଣଚନ୍ଦ୍ର ସିଂହ

***

 

ଅନୁରୋଧ

 

ଅଭିନୟକାରୀମାନଙ୍କୁ ମୋର ଅନୁରୋଧ, ସେମାନେ ଅଭିନୟ କଲାବେଳେ ନିଜ ନାଁ ଦେବେ । ଧରନ୍ତୁ, ସେକ୍ରେଟାରୀ ରୋଲ୍ ଯିଏ କରିବ, ସେ ପ୍ରଫୁଲ୍ଲ କାଟି ନିଜ ନାଁ ରଖିବ । ସେହିପରି ଅନ୍ୟଗୁଡ଼ିକ ବଦଳିବ । ତଦ୍ଦ୍ୱାରା ଅଭିନୟଜନିତ ଅସୁବିଧା ଦୂର ହୋଇଯିବ ।

 

-ଲେଖକ-

***

 

 

 

 

ପରିବେଷକ

 

ବହୁମୁଖୀ ଶ୍ରମ ମଙ୍ଗଳ କେନ୍ଦ୍ର, ନାଟ୍ୟ ସଂସଦ, ରାଜା ବଗିଚାର ଓ ଶ୍ରୀ ଶିବକୁମାର ମିଶ୍ର (ଜିଲା ଶ୍ରମ ଅଫିସର), ଶ୍ରୀ କୃଷ୍ଣଚନ୍ଦ୍ର ସିଂହ (ନିର୍ଦ୍ଦେଶକ), ଶ୍ରୀ ରାଧାଶ୍ୟାମ ମହାନ୍ତି (ପ୍ରକାଶକ), ଶ୍ରୀ ଭାସ୍କର ଚନ୍ଦ୍ର ଦାଶ (ସଂଗୀତ ନିର୍ଦ୍ଦେଶକ), ଶ୍ରୀ ଖଲି ପାଣିଗ୍ରାହୀ (ସଂସଦ ସେକ୍ରେଟାରୀ), ଶ୍ରୀ ଜେନାମଣି ଲକ୍ଷ୍ମୀକାନ୍ତ (ସହ-ଶ୍ରମ ଅଫିସର), ଶ୍ରୀ ଓଁକାର ତ୍ରିପାଠୀ (ଅଭିନେତା ସେକ୍ରେଟାରୀ) ମାନଙ୍କୁ ମଞ୍ଚ ନାୟିକା କୃତଜ୍ଞତା ଜଣାଉଚି ।

***

 

 

 

 

 

 

 

 

 

 

 

ଏ ଦେଶର ଅଗଣିତ ସୌଖୀନ କଳାକାରମାନଙ୍କ ହାତରେ...

ଲେଖକ

 

ରୂପ-ରସ-ଛନ୍ଦ କହେ

 

ସାଧାରଣତଃ ସୌଖୀନ ନାଟ୍ୟ-ସଂସ୍ଥାର ସମସ୍ତ ଭୁଲ୍ ତ୍ରୁଟିକୁ ଅବଲମ୍ବନ କରି ଏଇ ବାସ୍ତବଧର୍ମୀ ନାରୀ ଭୂମିକା ବିହୀନ ନାଟକଟି ସୃଷ୍ଟି ହୋଇଛି । ଓଡ଼ିଆ ନାଟକ କ୍ଷେତ୍ରରେ ତରୁଣ ନାଟ୍ୟକାର ରତ୍ନାକର ଚୟିନିଙ୍କର ଏହା ଏକ ନୂତନ ଦିଗ୍‍ଦର୍ଶନ । ସମଗ୍ର ନାଟକଟି ଏହି ହାସ୍ୟ ରସଭରା ଦୟନୀୟ ପରିବେଶ ଦର୍ଶକମାନଙ୍କ ଆଗରେ ଉପସ୍ଥାପିତ କରିଛି ।

 

×                   ×                   ×            ×

 

ନାଟକର ଅଭିନୟ ସଫଳତା ସେଇଠି ଜଣାପଡ଼ିଲା ଯେଉଁଠି ପ୍ରକୃତ, ଦର୍ଶକ ଭୂମିକାରେ ଥିବା ଅଭିନେତାଙ୍କ ଭାଷା ପ୍ରୟୋଗ କଲେ । ମୋଟ ଉପରେ ନାଟକଟି ବେଶ୍ ଉପଭୋଗ୍ୟ ହୋଇଥିଲା । ‘ମଞ୍ଚ ନାୟିକା’ ନାଟ୍ୟକାରଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଉଛି ଏବଂ ନୂତନ ଦୃଷ୍ଟିକୋଣର ମୂଲ୍ୟାଙ୍କନ କରିଛି ।

 

ପ୍ରଜାତନ୍ତ୍ର

ତା- ୧୦।୦୨।୬୮

***

 

ଲେବର କମିଶନର, ଓଡ଼ିଶା କହନ୍ତି

 

ରାଜାବଗିଚା ବହୁମୁଖୀ ଶ୍ରମମଙ୍ଗଳ କେନ୍ଦ୍ର ତରଫରୁ ଅଭିନୀତ ‘ମଞ୍ଚ ନାୟିକା’ ନାଟକଟି ଦେଖିବାକୁ ସୁଯୋଗ ପାଇଥିଲି । ତରୁଣ ନାଟ୍ୟକାର ରତ୍ନାକର ଚଇନିଙ୍କର ଏହା ଏକ ସାର୍ଥକ ସୃଷ୍ଟି-। ମୁଖ୍ୟତଃ ସୈାଖୀନ ନାଟ୍ୟସଂସ୍ଥାର ସମସ୍ତ ଅସୁବିଧା ଓ ପ୍ରତିବନ୍ଧକ ହେଲା ଏହାର ବିଷୟବସ୍ତୁ । ପରିବେଶ ତିନୋଟିର କ୍ରମ ବିବର୍ତ୍ତନ ଯେକୌଣସି ଦର୍ଶକ ଓ ପାଠକଙ୍କୁ ଆକୃଷ୍ଟ କରିବ । ମୋ ବିଶ୍ୱାସ ‘ମଞ୍ଚ ନାୟିକାର’ ସଫଳତା ନାଟ୍ୟକାରଙ୍କର ଭବିଷ୍ୟତ ପ୍ରତିଭାର ପ୍ରାକ୍ଉଷା-। ଆଶାକରେ ତାଙ୍କର ସୃଜନଶୀଳ ଦୀପ୍ତିମନ୍ତ ହେଉ ।

 

ଉଦୟନାଥ ସାହୁ, ଆଇ.ଏ.ଏସ୍

ଭୁବନେଶ୍ୱର

ତା- ୨।୪।୬୮

***

 

ମୁଁ କିଛି କହୁଚି

 

ଆଜି ଯାହା ଆପଣଙ୍କ ପାଖରେ ମୁଁ ଉପସ୍ଥାପିତ କରୁଚି; ଆପଣ ତାକୁ ନାଟକ ନ କହିପାରନ୍ତି । ମାତ୍ର ମୁଁ ଗୋଟେ ସୌଖୀନ ନାଟ୍ୟ-ସଂସ୍ଥା ସହିତ ଘନିଷ୍ଟଭାବେ ସଂଶ୍ଳିଷ୍ଟ ରହି, ଯାହା ଅଙ୍ଗେ ନିଭେଇଚି, ତାହା ଏଥିରେ ରୂପଦେଇଚି ଏକ ନଟକୀୟ ପରିବେଶରେ । ତେଣୁ ନିଜକୁ କଥାକାର କହି ଗର୍ବବୋଧ କରିବାଠାରୁ ରୂପକାର କହି ଆନନ୍ଦ ଅନୁଭବ କରୁଚି । କାରଣ ଏହାର କଥାବସ୍ତୁ ମୋର ଏକାନ୍ତ ନିଜର ନୁହେଁ, ଏ ଦେଶର ଶହଶହ ଲୋକମାନଙ୍କର । ମୁଁ କେବଳ ରୂପ ଦେଇଛି ମାତ୍ର ।

 

ଆପଣଙ୍କର ବୋଧହୁଏ ବିଶ୍ଵାସ ହେଉନଥିବ ମୋ କଥାରେ ? ତେବେ ଆସନ୍ତୁ, ମୁଁ ଆପଣଙ୍କୁ ମୋର ପରିଚିତ ସେଇ ନାଟ୍ୟ ସଂସଦଟି ପାଖକୁ ନେଇଯିବି । ଆସନ୍ତୁ …….

***

 

ପ୍ରଥମ ପରିବେଶ

 

 

 

[ଘରଟି ପୁରୁଣା ନ ହେଲେ ବି ସପୂର୍ଣ୍ଣ ନୂଆଁ ନୁହେଁ । ବହୁ ଲୋକର ଆମୋଦପାଇଁ ସ୍ଥାନ ପ୍ରଶସ୍ଥ । ବିଦ୍ୟୁତ୍ ଆଲୋକରେ ଚାରିଆଡ଼େ ଆଲୋକିତ । ଘରର ମଧ୍ୟଭାଗରେ ଗୋଟେ ବଡ଼ ଟେବୁଲ୍ ଏବଂ ଦୁଇ ତିନୋଟି ଚେୟାର ପଡ଼ିଛି । ଆଗରେ ବିସ୍ତରିଚି ଗୋଟିଏ ବଡ଼ ଦରି । ଏହାକୁ ଗ୍ରାମ୍ୟ ଟୁଙ୍ଗିଘର ସହିତ ତୁଳନା କରାଯାଇପାରେ । ତଥାପି ଅନେକ ଦୃଷ୍ଟିରୁ ଏହା ଉନ୍ନତ । ସହରର ଏହା ଏକ କ୍ଳବ୍ ଘର । ନାଟ୍ୟ ସଂସଦ । ବହୁ ଯୁବକ ସମବେତ ନହେଲେ ବି ସଂଖ୍ୟାରେ କମ୍ ନଥିଲେ । ଖୁବ୍ ଜୋରରେ କୋଳାହଳ ଶୁଭୁଥିଲା । ଗୀତ ଚାଲୁଥାଏ । ଏକକ ବଲ୍ ଡ୍ୟାନ୍ସର ଅନୁକରଣ ହେଉଥାଏ । ଏହି ସମୟରେ ଗୃହର ଅଭ୍ୟନ୍ତରରେ ଦେଖାଦେଲେ ଜଣେ କ୍ଳାନ୍ତ ତନୁ ଯୁବକ । ସଂସଦର ସଂପାଦକ ‘ପ୍ରଫୁଲ୍ଲ’ । ହାତରେ କିଛି କାଗଜପତ୍ର ।]

 

 

 

ପ୍ରଫୁଲ୍ଲ

-

ବନ୍ଧୁଗଣ ! ଭାଇମାନେ !! (ଟେବୁଲ ବାଡ଼େଇ) ଦୟାକରି ଟିକିଏ ପାଟି ବନ୍ଦ କରନ୍ତୁ । (ପୂର୍ବଭଳି ପାଟି ଚାଲିଥାଏ) ... ଓଃ ! ସାଇଲେନ୍ସ ପ୍ଲିଜ୍ ।

ପ୍ରମୋଦ

-

ଏ, ପାଟି ବନ୍ଦକର ।

ମଦନ

-

ହେ, ପାଟି ବନ୍ଦକର ।

ବନମାଳୀ

-

ଏ, ଶୁଣ, ଶୁଣ… ଆରେ ହେ, ସେକ୍ରେଟାରୀର କ’ଣ କହୁଛି ଶୁଣ !

ପ୍ରଫୁଲ୍ଲ

-

ଭାଇମାନେ ଦୟାକରି ଟିକିଏ ଚୁପ୍ ହୁଅନ୍ତୁ ।

ପ୍ରମୋଦ

-

ଏ, କାହିଁ ଗୁରା ପାଟି କରୁଛ’ମ !

ଉଦ୍ଧବ

-

ଆବେ ଚୁପ୍ ହୁଅ ।

ପ୍ରମୋଦ

-

ମାନ୍ୟବର ସେକ୍ରେଟାରୀ ସାହେବ ! ମୁଁ ଆପଣଙ୍କର ନିର୍ଦ୍ଦେଶ ଅନୁସାରେ ନୀରବ । ମାତ୍ର କତିପୟ ବାଳୁଙ୍ଗା ସଭ୍ୟ ଏବେ ମଧ୍ୟ ଚିତ୍କାର କରୁଛନ୍ତି । ମୋର ଏଥିରେ କିଛି କସୁର ନାହିଁ ହଜୁର !

 

 

(ସମସ୍ତେ ହସିଉଠିଲେ । ପ୍ରଫୁଲ୍ଲ ବି ହସିପକାଇଲା ତାଙ୍କ ସଙ୍ଗରେ ।)

ପ୍ରଫୁଲ୍ଲ

-

ଦେଖ ବନ୍ଧୁଗଣ ! ବାସ୍ତବିକ୍ ମୁଁ ନାଚାର l ଆପଣମାନେ ସବୁ ଶିକ୍ଷିତ ପିଲା-। ନିହାତି ଅଶିକ୍ଷିତଙ୍କ ଭଳି ଗୋଳମାଳ କଲେ ଚଳିବ କେମିତି ? (Pause) ଆମର ଆଜି ଏଇ ସମବେତ ହେବାର କାରଣ, ପ୍ରାୟ ଅଳ୍ପ ବହୁତେ ସମସ୍ତେ ଅବଗତ ହୋଇଥିବେ ।

ମଦନ

-

ମୋତେ କ୍ଷମାକରିବେ ସେକ୍ରେଟାରୀ ବାବୁ ଦୟାକରି କାରଣଟା ଆଉଥରେ ଜଣାଇ ଦିଅନ୍ତୁ ।

ବନମାଳୀ

-

ବସ୍’ବେ । କାଇଁ ଗୋଟା ବଜର ବଜର ହଉଚୁ ସବୁବେଳେ ?

ମଦନ

-

ତୁ ଚୁପ୍ କର । Learn manner how to speak. କଥା କହିବାର ଭଦ୍ରତା ଶିଖ୍ ।

ବନମାଳୀ

-

ବାପ୍‍ରେ, ଭାରି ଭଦ୍ର ତ ହେଇଗଲୁଣି ?

ମଦନ

-

ଯାଃ-ସେକ୍ରେଟାରୀଠାରୁ ସବୁକଥା ବୁଝିବାର ଅଧିକାର ପ୍ରତ୍ୟେକ ସଭ୍ୟଙ୍କର ଅଛି । ମୁଁ ନିଶ୍ଚେ ବୁଝିବି l ସେଥିରେ ତୋର ପାଟିକରିବା ଅନାବଶ୍ୟକ ।

ପ୍ରଫୁଲ୍ଲ

-

ଡଃ ! କାହିଁକି ସବୁ ପାଟିକରୁଛ ?

ପ୍ରମୋଦ

-

ଏଗୁଡ଼ାକ ସବୁବେଳେ ତ ଖାଲି ପାଟିକଲେ ଲେମ୍ବୁ ଲୁଣ କରିବେ ।

ଉଦ୍ଧବ

-

(ଉଠିପଡ଼ି ଦୁଇପଟକୁ ହାତ ବୁଲାଇ) ହୋ !---ଶାନ୍ତି... ଶାନ୍ତି... ଶାନ୍ତି... ।

ବନମାଳୀ

-

ଯାଅମ, ଏଗୁଡ଼ାକ ତ ସବୁବେଳେ ଅଶାନ୍ତି କି ଶାନ୍ତି ହେବେ ହୋ ! ଡ୍ରାମା କରିବେ ନା ଛେନାଗୁଡ଼ କରିବେ ।

ପ୍ରଫୁଲ୍ଲ

-

ଆଚ୍ଛା ବନମାଳୀ ବାବୁ ! ଆପଣ ଦୟାକରି ଟିକେ ଚୁପ୍ ହେଲେ ।

ବନମାଳୀ

-

ହଉ ମୁଁ ଚୁପ୍ ହେଲି । ତମେ ଏବେ କ’ଣ କରୁଛ କର । ମୁଁ ଚୁ-ଉ-ପ୍ (ପାଟିରେ ହାତ ଦେଇ)-

ପ୍ରଫୁଲ୍ଲ

-

କରିବାର କିଛି ନାଇଁ ଯେ, କହିବାର ଅଛି । ଆପଣମାନେ ଧୀରସ୍ଥିର ହେଇ ଟିକେ ଶୁଣନ୍ତୁ ।

ଉଦ୍ଧବ

-

କୁହନ୍ତୁ ।

ମଦନ

-

କୁହନ୍ତୁ, କୁହନ୍ତୁ...

ପ୍ରଫୁଲ୍ଲ

-

ଓଡ଼ିଶାରେ ଏଇ ନିକଟ ଅତୀତରେ ଯେଉଁ ଚରମ ଦୁର୍ବିପାକ ଘଟିଲା, ତା’ ଆପଣମାନେ ନିଶ୍ଚୟ ଜାଣିଥିବେ ।

ମଦନ

-

କୋଉକଥା-ଏଇ ନଈବଢ଼ି ?

ପ୍ରମୋଦ

-

ନା-ନା ଝଡ଼–ଏଇ ବାତ୍ୟା !

ଉଦ୍ଧବ

-

ନାଁ ମ, ମରୁଡ଼ି ! ନାଁ କ’ଣ କହୁଛୁ ବନମାଳୀ ?

ବନମାଳୀ

-

ମୁଁ ଆଉ କୋଉଠି କ’ଣ କହିଲି କି ? ମୁଁ ତ ଚୁଉପ୍ l

ପ୍ରଫୁଲ୍ଲ

-

ଶୁଣ ଶୁଣ, ଭାଇମାନେ ! ଝଡ଼, ବଢ଼ି ମରୁଡ଼ି ଏ ରାଜ୍ୟଟାକୁ ତ ପ୍ରତିବର୍ଷ ଲାଗି ରହିଛି l ତଥାପି ଗଲା ଅକ୍ଟୋବର ନଅତାରିଖ ଦିନ ଏ ରାଜ୍ୟରେ ଯେଉଁ ଭୟାନକ କାଣ୍ଡ ହୋଇଗଲା–ତାହା ଓଡ଼ିଶା ଇତିହାସରେ ବିରଳ ।

ଉଦ୍ଧବ

-

କାହିଁକି ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ?

ପ୍ରଫୁଲ୍ଲ

-

ସେଇ ନଅଙ୍କ, ଆଉ ଏଇ ନଅତାରିଖ ଏ ଦେଶ ଇତିହାସକୁ ମସୀଲିପ୍ତ କରିଛି । ମାଟିରେ ମିଶେଇ ଦେଇଛି ବାକିଆ ଧରମାର ବଂଶଧରମାନଙ୍କୁ-କୋଣାର୍କର ଶିଳ୍ପୀମାନଙ୍କୁ ।

ମଦନ

-

ଡାଇଲକ୍ ! ଡାଇଲକ୍ !! ଚମତ୍କାର ଡାଇଲକ୍ !!!

ପ୍ରମୋଦ

-

ମୁଁ ଏହାକୁ ଅନ୍ତର ସହିତ ସମର୍ଥନ କରୁଛି ।

ବନମାଳୀ

-

ମୁଁ ଏହାକୁ ହୃଦୟର ଅତିହ୍ୟାରୁ .....ମାନେ, ଅର୍ଥାତ୍ ପାକସ୍ଥଳୀରୁ ସମର୍ଥନ ଜଣାଉଛି ।

 

 

(ସମସ୍ତେ ହସିଉଠିଲେ)

ଉଦ୍ଧତ

-

ଯା, ବନମାଳୀ ସବୁ ଭଣ୍ଡୁର କରିଦେବ ଦେଖୁଛି । ଖାଲି ହସଉଚି ଆଉ ।

ମଦନ

-

ରୁହ, ହସନି କେହି । ଆରେ ସେକ୍ରେଟାରୀଙ୍କ କଥା ଶୁଣ । --(ସମସ୍ତେ ଚୁପ୍ ହେଲେ)

ପ୍ରଫୁଲ୍ଲ

-

ଭାଇମାନେ ! ଆମେ ସେଇ ବାତ୍ୟାକ୍ଳିଷ୍ଟ ଲୋକଙ୍କୁ କେମିତି ସାହାଯ୍ୟ କରିବା–ତା‘ର ପ୍ରସ୍ତାବ ହେଉ l (ବସି ପଡ଼ୁଥିଲା, ପୁଣି ଉଠିପଡ଼ି)...ହିଁ, କହିରଖେ, ଆମର ଆଗରୁ କାର୍ତ୍ତିକ ପୂର୍ଣ୍ଣମୀକୁ ଗୋଟିଏ ନାଟକ ଅଭୀମିତ ହେବାର Plan (ପ୍ଳାନ) ଥିଲା ।

ବନମାଳୀ

-

ଆଜ୍ଞା, ମୁଁ କହିପାରେ କି ?

ପ୍ରଫୁଲ୍ଲ

-

ହଁ, କୁହନ୍ତୁ l

ବନମାଳୀ

-

ମୋ ମତରେ ସେଇ ପ୍ଳାନର ପୁନରାବୃତି ହେଉ । ଆଚ୍ଛା ଭାଇ, ହେଲେ କ୍ଷତି କ’ଣ ଅଛି ?

ଉଦ୍ଧବ

-

ନାଁ ଆଉ କ୍ଷତି କ’ଣ ?

ପ୍ରମୋଦ

-

କିଛି ନାହିଁ, କିଛି ନାହିଁ ।

ମଦନ

-

ହିଁ-ହିଁ, ଇଏ ଗୋଟିଏ ଚମତ୍କାର ପ୍ଳାନ । ସେଇ ନାଟକ ଅଭିନୟ ପନ୍ଥା ଅବଲମ୍ବନ କରାଯାଉ । ଆଉ ନାଟକ ଲବ୍ଧ ଧନ ବାତ୍ୟା-ପ୍ରପୀଡ଼ିତ ଅଞ୍ଚଳକୁ ପଠାଯାଉ ।

ଉଦ୍ଧବ

-

ମୁଁ ଏହାକୁ ସମର୍ଥନ କରୁଛି ।

ପ୍ରମୋଦ

-

ମୁଁ ଏହାକୁ ଦ୍ୱିତୀୟବାର ସମର୍ଥନ କରୁଛି ।

ପ୍ରଫୁଲ୍ଲ

-

ବେଶ୍, ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ଗୃହୀତ ହେଇଗଲା । ଆଉ କାହାର କିଛି ଅବଜେକସନ୍ କରିବାର ନାହିଁ ତ ?

ବନମାଳୀ

-

ଅଛି । ଏ ନାଟକପାଇଁ ଟଙ୍କା ପଇସା କଥା ? ତା’ର ତ ପୁଣି ବିଚାର ହେବା ଦରକାର ।

ମଦନ

-

କାହିଁକି, ଆମ କଲୋନୀରୁ ଚାନ୍ଦା ଆଦାୟ କରିବା ।

ପ୍ରମୋଦ

-

ଆରେ ଯା ! କଲୋନୀବାଲା ଆଉ ପଇସା ଦେବେ ? ଆଉ ଡ୍ରାମାକୁ ତ ଦେଲେ-ଦୁର୍ଗାପୂଜାକୁ ଦେଲେ ପୁଣି ସରସ୍ଵତୀ ପୂଜାକୁ ମାଗିବ । ତମେ କ’ଣ ତାଙ୍କୁ ଏମିତ ଗଡ଼ଜାତ ରଜାଙ୍କଭଳି ଶୋଷୁଥିବ ନାଁ କ’ଣ ମ ! ସେମାନେ ଦେବେ ତା?

ମଦନ

-

ଏଁ ଦେବେନି । ଅଲବତ୍ ଦେବେ । ଆମ କଲୋନୀରେ ଅଛନ୍ତି-ନଦେଇ ଯିବେ କୁଆଡ଼େ ?

 

 

[ଏଇ ସମୟରେ ପ୍ରବେଶ କଲେ ତପନ ଚୌଧୁରୀ । ସେ ଏଇ ନାଟ୍ୟ ସଂସଦର ଜନୈକ ସଭ୍ୟ । ବଙ୍ଗୀୟ ଭଦ୍ରବ୍ୟକ୍ତ । ଟିକିଏ କାଲା । ତଥାପି ଥିଏଟରରେ ଭାଗ ନେବାକୁ ଭାରି ସଉକ ।]

ଉଦ୍ଧବ

-

ଏଇ ଯେ, ତପନ ଦା’ ଆସିଲେଣି । ନମସ୍କାର ତପନ ଦା’

ସମସ୍ତେ

-

ନମସ୍କାର ।

ତପନ

-

ନମସ୍କାର ! ନୋମସ୍କାର ! (ହଠାତ୍ ନାକଶୁଂଘି ଛିଙ୍କିବା ଆରମ୍ଭ କରିଦେଲେ-।)

ଉଦ୍ଧବ

-

ଏହେ, ଆସୁ ଆସୁ ଲୋକଟା ଛିଙ୍କିଲା । (ତପନ ଦା’ ଚେୟାରରେ ବସିପଡ଼ୁଥିବା ଦେଖି) ...ଆରେ ତଳେ ବସ । ହୋ ତପନ ଦା ! ଆରେ ତଳେ...

ତପନ

-

ହାଁ ଆମ ଜାନି, ଜାନି... କନ୍ ପ୍ରଫୁଲ୍ ? ଆଲୋଚନା ଚାଲିଛି ତ ?

ପ୍ରଫୁଲ୍

-

ହଁ ଚାଲିଛି ଯେ, କିନ୍ତୁ ସମାଧାନ ହେଇପାରୁନି ।

ତପନ

-

କନ୍ ହେଲା ? ସଭା ଭଙ୍ଗୋ କରିବ ? ଅତୋ ଶିଘିର୍ କେନ ?

 

 

(ପ୍ରମୋଦ ମଦନ ହସିଉଠିଲେ )

ବନମାଳୀ

-

ଆହେ ସଭା କାହିଁକି ଭଙ୍ଗ ହବ ମ ! କ’ଣ ଶୁଣି କ’ଣ ତମେ କହୁଛ ?

ଉଦ୍ଧବ

-

ଓଃ ! ଆରେ ତମେ ଟିକେ ଚୁପ୍ ହୁଅ । ଏଇ କଥାକୁ କ’ଣ ଏମିତି ଧରୁଛୁ ମ-! ତପନ ଦା’ ଆମର ଟିକେ ଶୁଣିପାରନ୍ତିନି ପରା । ମାନେ ଟିକେ କାଲା-

ତପନ

-

ହାଁ, ଆମି ଟିକିଏ ଶୁନି ପାରୁନାଇଁ ଭାଲୋ । ତେବେ କଥାଟା ମୋଟା ମୋଟି କନ୍ ହେଲା ?

ପ୍ରଫୁଲ୍ଲ

-

ଆମର ଏଇ ଚାନ୍ଦା ଆଦାୟ କରିବା କଥା ପଡ଼ିଛି ।

ତପନ

-

ହାଁ, ଆମରା ଚାନ୍ଦା ଦେବା । ଆଦାୟ କରିବା ।

ପ୍ରମୋଦ

-

ତେବେ ସେ ଦାୟିତ୍ଵ ତପନ ଦା’ ଉପରେ ଦିଅ ।

ପ୍ରଫୁଲ୍ଲ

-

ନା-ନା, ସମସ୍ତଙ୍କର ସହଯୋଗ ଦରକାର । ତମେ କ’ଣ ପ୍ରମୋଦ ସାହାଯ୍ୟ କରିବନି ?

ପ୍ରମୋଦ

-

ହଁ ସାହାଯ୍ୟ କରିବ ଯେ –

ଉଦ୍ଧବ

-

ନା-ନା, ସମସ୍ତେ ସାହାଯ୍ୟ କରିବା ଦରକାର ।

ବନମାଳୀ

-

ହଁ ମ, ସମସ୍ତେ ସାହାଯ୍ୟ କରିବେନାଇ କି-ଚାନ୍ଦା କଥା କ’ଣ ବଳେଇଯାଉଛି ? ଆଗ ନାଟକ କଥା ବିଚାର କର ।

ପ୍ରଫୁଲ୍ଲ

-

ନାଟକ ତ ଆଗରୁ ଆମେ ଅଭିନୟ କରିବାକୁ ମନୋନୀତ କରିଥିଲେ ।

ଉଦ୍ଧବ

-

ହଁ ….ହଁ, ସେଇ ନୂଆ ବହିଟାତ ?? ନାଆଁଟା କ’ଣଟି........?

ପ୍ରମୋଦ

-

ଆରେ ‘ମଞ୍ଚ ନାୟିକା’ ମ ।

ଉଦ୍ଧବ

-

ହଁ ହଁ, ‘ମଞ୍ଚ ନାୟିକା’ ତ !

ମଦନ

-

ଆଛା, ସେଥିରେ ଫିମେଲ୍ ରୋଲ୍ କେଇଟା ।

ପ୍ରଫୁଲ୍

-

ଗୋଟାଏ ।

ମଦନ

-

ଗୋଟାଏ ?

ପ୍ରଫୁଲ୍ଲ

-

ହଁ, କ’ଣ ହେଲା ସେଇଠୁ ?

ମଦନ

-

ନାଁ, ସେ ବହିଟା ହେବନି l ଗୋଟାଏ ଫିମେଲ୍ ରୋଲରେ ଷ୍ଟେଜ୍ ପଡ଼ିଆ ଦିଶିବ ।

ବନମାଳୀ

-

ତେବେ ମୋ ମତରେ ‘କୋଣାର୍କ’ ବହିଟି ହେଉ । ଭଲ ଜାତୀୟ ଭାବାପନ୍ନ ନାଟକଟା ।

ପ୍ରମୋଦ

-

ଉଁ ହୁଁ-ସେସବୁ ବହି ଏ ଯୁଗରେ ପୋଷେଇବ ? ହେଇଟି ଯାତରାବାଲାଙ୍କ ଭଳି ପୋଷାକ ପିନ୍ଧା ଦେଖିଲେ ପଛରୁ ଢେଲା ପକାଇବେ-ଢେଲା । ମୋ ମତରେ ‘ଭାତ’ ନାଟକଟା ହେଉ ।

ଉଦ୍ଧବ

-

ଯା, ଯା-ତୋର ବି ସେଇ ଉଦ୍ଭଟ ଚିନ୍ତା । ହଇରେ, ସେ ବହି ଏ କାଳକୁ ମ୍ୟାଚ୍ କରିବ ? ଗୋଟାଏ ସଣ୍ଠଣା କଥା କହିଲା ତ ! ମୁଁ କହୁଛି ଆମର ‘କା ଆଗେ କହିବି’ ନାଟକ ଅଭିନୟ କରିବା । ସଂପୂର୍ଣ୍ଣ ନୂଆ ଧରଣର ନାଟକ-ନୂଆ ଚିନ୍ତା । କ’ଣ ବୁଝୁଛୁତ ବନମାଳୀ ?

ବନମାଳୀ

-

ଆବେ ରଖ ତୋ ନୂଆ ଚିନ୍ତାମ । ଆରେ ସବୁ ସେଇ ପୁରୁଣା କଥା । ହଇରେ, ଅଭିନେତା କ’ଣ ରଙ୍ଗମଞ୍ଚ ବାହାରେ ଦର୍ଶକମାନଙ୍କ ପାଖରେ ଥାଇ, ରୋଲ୍ କରୁନଥିଲେ । ଏ ଗୁରୁ ସବୁ ସେଇ ଖୋଲା ମଞ୍ଚ-ଯାତରା ବାଲାଙ୍କ ଧନ୍ଦା ।

ତପନ

-

ଭାଇମାନେ ! ଟିକିଏ ଆମାର୍ କଥା ଶୁନ ! ଆଗରୁ ଯୋଉ ବହିଟା ମନୋନୀତ ହଏଛି-ସେଇଟା ଖୋଲିବା ଭାଲୋ । ଆମାର ମତୋ ମୁଁ କହୁଛି । ଆପନାରା ବିଚାର କରୁନ୍-ନୋଚେତ୍ ରାଇଟର ମନରେ କଷ୍ଟୋ ହବେ ।

ପ୍ରଫୁଲ୍ଲ

-

ହଁ, ହଁ, ବାସ୍ତବିକ ସେ କଥା ବି ମୁଁ ଭୁଲିଯାଉଛି । ବନ୍ଧୁଗଣ ! ଆଜି ମୋର ନାଟ୍ୟକାରଙ୍କ ସହିତ ଦେଖାହୋଇଥିଲା । ସେ ବିରକ୍ତହୋଇ ମୋ’ଠୁ ଲେଖାଟି ଫେରସ୍ତ ନେବାକୁ ଇଚ୍ଛାପ୍ରକାଶ କଲେ । ମୁଁ ତାଙ୍କୁ ଆମ ସଂସଦକୁ ଆଜି ଆସିବାକୁ କହିଛି । ସେ ଆସିବେ ନିର୍ଶ୍ଚୟ । ଆଉ ଗୋଟିଏ ବହି କରି ତାଙ୍କ ଲେଖାଟା ଫେରାଇଦେବା ଅନ୍ୟାୟ ହେବ l

ଉଦ୍ଧବ

-

ଯଦି ‘କା ଆଗେ କହିବି’ ବହିଟା ନ ହେବ, ତେବେ ‘ମଞ୍ଚ ନାୟିକା’ ହେଉ ।

ମଦନ

-

ତୋର ତ ସେଇ ‘କା ଆଗେ କହିବିରେ’ ମହୁ ଲାଗିଛି ଆଉ ।

ଉଦ୍ଧବ

-

ଆରେ ଯାଆମ, ପଢ଼ିଲେ ଜାଣିବୁ ।

ତପନ

-

ଓରେ ଶୁନ୍, ଶୁନ୍... ଆମାର୍ ଯତୋଟା କମ୍ ଫିମେଲ ହବେ ଭାଲୋ । ଖର୍ଚ୍ଚୋଟା ନିଶ୍ଚୟ କମିବେ । ଆମାଦେର୍ ସାହାଯ୍ୟ ଆମାଉଣ୍ଟଟା ବେଶି ହବାର ଚାଇ ।

ପ୍ରଫୁଲ୍ଲ

-

ତପନ ଦା’ ଯେଉଁ କଥାଟି କହିଲେ ବାସ୍ତବିକ ତାହା ନିରାଟ ସତ୍ୟ । ସେଇ ବହିଟା ଦେବା ଉଚିତ । ଆପଣମାନେ ଯଦି ଚାହିଁବେ-ତେବେ ମୁଁ ରୋଲ୍‍ଗୁଡ଼ା ପଢ଼ି ଶୁଣାଇ ଦେବି ।

ପ୍ରମୋଦ

-

ହଁ, ପଢ଼ି ଶୁଣାଅ ।

ବନମାଳୀ

-

ହଉ ଶୁଣାଅ ।

ମଦନ

-

ଯାଆମ, ଗୋଟିଏ ଭଲ ବହି ନ ବାଛି....ମୋ ମନକୁ କାହିଁକି ଏସବୁ ଯାଉନି ।

ଉଦ୍ଧବ

-

ଆରେ ଯିବ, ଯିବ-ଆସ୍ତେ ଆସ୍ତେ ଯିବ । ତମେ ତାକୁ ଯିବାକୁ ଦିଅ ।

ମଦନ

-

ହୁଠ୍ ବେ !

ଉଦ୍ଧବ

-

ହେଏଇ, ମୁହଁ ସମ୍ଭାଳି କଥା କାହ । ମଣିଷ ଚିହ୍ନାପଡ଼ୁନି କି ?

ପ୍ରଫୁଲ୍ଲ

-

ଦେଖନ୍ତୁ ଭାଇମାନେ ! ଆପଣମାନେ ହେଲେ ଶ୍ରମ ମଙ୍ଗଳ କେନ୍ଦ୍ର ନାଟ୍ୟ ସଂସଦ ସଭ୍ୟ l ସହରରେ ଛାତି ଉପରେ କ୍ଲବଟି ଗଢ଼ି-ଆମେ ଯଦି ଶାନ୍ତି ଶୃଙ୍ଖଳାରେ ଚଳି ନପାରିବା, ଏହାଠୁଁ ବଳି ଦୁଃଖର କଥା ଆଉ କ’ଣ ଅଛି କହିଲେ ?

ପ୍ରମୋଦ

-

ବାସ୍ତବିକ ଦୁଃଖ କରିବାର କଥା । କ୍ଲବରେ ଶାନ୍ତି ଶୃଙ୍ଖଳା ରହିବା ନିହାତି ଦରକାର । ମୁଁ ସେଥିରେ ଏକମତ ।

 

 

(ସମସ୍ତେ ନୀରବ ହେଲେ)

ପ୍ରଫୁଲ୍ଲ

-

ବହିଟି ଯେତେବେଳେ ଅଭିନୀତ ହେବ-ତା’ର ଉପକରଣ ଆଉ ଅନ୍ୟ ଜିନିଷ କଥା ସବୁ ଚିନ୍ତାକର ।

ଉଦ୍ଧବ

-

ମୁଁ ଚିନ୍ତାକରିଛି-ପ୍ରଥମ କଥା ହେଲା ଫିମେଲ୍ ରୋଲ୍ ନବ କିଏ ?

ବନମାଳୀ

-

ହେଇ ଉଦ୍ଧବ କଥା ଶୁଣ । ଉଦ୍ଧବ କୁଆଡ଼େ ଖୁଉବ୍ ଚିନ୍ତା କରିଛି । ଆରେ ଫିମେଲ୍ ରୋଲ୍ କିଏ ନବ କ’ଣ ? ତୁ ଆଉ କ’ଣ ଶଙ୍ଖା ସିନ୍ଦୂର ନାଇ ନାଚିବୁ ?

ମଦନ

-

ମୋ ମତରେ ଆଲିକୁ ଡାକିଲେ ଭଲ ହେବ ।

ପ୍ରମୋଦ

-

ନା-ନା, ପୂର୍ଣ୍ଣିମାକୁ ଡାକ ।

ତପନ

-

କେନ୍ ବାବା, ଡଲିକୁ ଆନ । ସେ ମେୟେଟା ଏ ସବ୍ ରୋଲ୍ ଭାଲୋ କରେ ।

ଉଦ୍ଧବ

-

ହଁ ହଁ, ତପନ ଦା’ଙ୍କ କଥା ଶୁଣାଯାଉ—

ପ୍ରଫୁଲ୍ଲ

-

ଓଃ ! ଟିକିଏ ରୁହ ସବୁ ବାବୁ । ରୋଲଟି କି ଧରଣର ସେ କଥା ଆପଣମାନେ ଟିକିଏ ଅବଗତ ହୁଅନ୍ତୁ ।

ତପନ

-

କଥାଟା ଏକରକମ ସତ୍ୟ । ପ୍ରଫୁଲ୍ଲ ଯାହା କହୁଛି ଶୁଣ l

ପ୍ରଫୁଲ୍ଲ

-

ଶୁଣ,..... ପ୍ରଥମେ ବହିର ନାୟିକା । ଏଇ ନାରୀ ଭୂମିକାଟି ପୂରାପୂରି ମଡ଼େର୍ଣ୍ଣମାନେ ଆଧୁନିକା । ଆପଣମାନେ ଅଲଟ୍ରା ମଡ଼ର୍ଣ୍ଣ ବି କହିପାରନ୍ତି । କାରଣ...

ମଦନ

-

ତା’ହେଲେ ଏ ରୋଲ୍‍ପାଇଁ ଜଣେ ୟଙ୍ଗଲେଡ଼ି ଆର୍ଟିଷ୍ଟ ଦରକାର—

ବନମାଳୀ

-

ହିଁ, ହିଁ ।

ପ୍ରଫୁଲ୍ଲ

-

ଆଚ୍ଛା ଟିକେ ଶୁଣିସାର ।

ମଦନ

-

ହଉ, କୁହ ।

ବନମାଳୀ

-

କୁହ, କୁହ ।

ପ୍ରଫୁଲ୍ଲ

-

ହଁ...ନାୟିକା ଏକ ଆଭିଜାତ୍ୟ ପରିବାରର-ବାପ ବିରାଟ ଧନୀ । ଅମାପ ଧନ ସଂପତ୍ତି । ସେ ସବୁର ଉତ୍ତରାଧିକାରିଣୀ ହେଲା ଉର୍ବଶୀ .…l

ପ୍ରମୋଦ

-

ଉର୍ବଶୀ ! ଚମତ୍କାର ନାଆଁଟା ତ !!

ବନମାଳୀ

-

ଚମତ୍କାର ସତେ !

ତପନ

-

ହାଁ, ନାମଟା ବଡ଼ ମଧୁର୍ ହେଇଛି l

ମଦନ

-

ଆର୍ଟିଷ୍ଟ ଜଣକ ସେମିତି ମଧୁର ହେବା ଦରକାର ଦାଦା । ନହେଲେ ଷ୍ଟେଜ ଫିଟ୍ ମୋଟେ ହବନି ଯେ । (ସେକ୍ରେଟାରୀକୁ ଚାହିଁ) ...ହଁ, ଏକଥା ମୁଁ ଆଗରୁ କହିରଖୁଛି ସେକ୍ରେଟାରୀ ବାବୁ ।

ଉଦ୍ଧବ

-

ହଁ ଭାଇ ! ନ ହେଲେ ସବୁ ମଡ଼ର୍ ।

ପ୍ରଫୁଲ୍ଲ

-

ହଉ ଟିକିଏ ମୋ କଥା ଶୁଣ ?

 

 

ପ୍ରମୋଦ ଏ ଶୁଣ, ଶୁଣ ।

ତପନ

-

ଓରେ ଶୁନ, ଶୁନ !

ବନମାଳୀ

-

ହେ, ଶୁଣ ସବୁ ।

ତପନ

-

ତା’ପରେ କନ୍ ହେଲା ପ୍ରଫୁଲ୍?

ପ୍ରଫୁଲ୍ଲ

-

ତା’ପରେ......ଆରେ ...!! [ସେ ହଠାତ ନାଟ୍ୟକାର ଅର୍ଜୁନବାବୁଙ୍କୁ ଦେଖି ଅଟକି ଗଲା । ଗୃହରେ ପ୍ରବେଶ କଲେ ନାଟ୍ୟକାର । ସୌମ୍ୟ ଯୁବକ । ପରିଧାନ ଧୋତି ପଞ୍ଜାବି । ମୁହଁଟା ଗମ୍ଭୀର ।]

ପ୍ରଫଲ୍

-

ନମସ୍କାର ଆଜ୍ଞା ! ବନ୍ଧୁଗଣ ! ମୁଁ ତୁମମାନଙ୍କୁ ଆମ ନାଟ୍ୟକାରଙ୍କ କଥା କହୁନଥିଲି-ଏଇ ନାଟ୍ୟକାର

 

 

ଅର୍ଜୁନବାବୁ ଉପସ୍ଥିତ ।

ସମସ୍ତେ

-

ନମସ୍କାର !

ଅର୍ଜୁନ

-

ନମସ୍କାର ।

ତପନ

-

ନୋମସ୍କାର ଦାଦା, ନୋମସ୍କାର ! ଭାଲୋ ବହି ଆପନି ଲିଖ୍‍ଛନ୍ । ବସୁନ୍, ବସୁନ୍ (ସେ ଚେୟାରରେ ବସିପଡ଼ିବାବେଳେ)....ହାଁ-ହାଁ, ଓଟା ଭାଙ୍ଗ । ଆଛେ-ଆସତେ ।

ପ୍ରଫୁଲ୍ଲ

-

ବାସ୍ତବିକ ବହିଟା ଖୁବ୍ ଭଲହେଇଛି ଆଜ୍ଞା । ପ୍ରଥମେ ଆମ ବନ୍ଧୁମାନେ ପଢ଼ି ଭାବୁଥିଲେ କଲୋନୀ ଲୋକେ ବୁଝିପାରିବେନି । ମୁଁ କିନ୍ତୁ ସେମାନଙ୍କୁ ବୁଝେଇଦେଇ ସାରିଲିଣି । ସମସ୍ତଙ୍କ ମନକୁ ପାଇଛି ।

ଉଦ୍ଧବ

-

ଆହେ ପାଇଲାଣି କ’ଣ- ଆହୁରି ପାଇବ । ଅସଲ ବିଷୟ ପାଖରେ ହାବୁଡ଼ି-

ପ୍ରଫୁଲ୍ଲ

-

ଆଜ୍ଞା ! ଆପଣ ଟିକେ ରୋଲ୍‍ଗୁଡ଼ାକ ବିଷୟରେ ସ୍ଥୂଳ ଧାରଣା ଆମ ସଭ୍ୟମାନଙ୍କୁ କରେଇଦିଅନ୍ତୁ କିଛି ଭାବିବେନି ଆଜ୍ଞା !!

ଅର୍ଜୁନ

-

ନା-ନା, ଭାବିବାର କ’ଣ ଅଛି । (ଖଣ୍ଡିକାଶ ମାରି)…ଏଇ ନାଟକର ସମ୍ମୁଖ ଭାଗରେ ରହିଛି ନାୟିକା ଉର୍ବଶୀ । ଉର୍ବଶୀ ହେଉଛି l

ବନମାଳୀ

-

କ୍ଷମାକରିବେ ଆଜ୍ଞା ! ସେ ରୋଲ୍ ବିଷୟରେ ଆମ ସେକ୍ରେଟାରୀ ବାବୁ, ଅଳ୍ପ ବହୁତେ କହିସାରିଲେଣି ।

ମଦନ

-

ଓଃ ! ଆଉ ଟିକେ କୁହନ୍ତୁ । ରହ ଶୁଣ୍ ।

ବନମାଳୀ

-

କାହିଁକି ବେ !

ମଦନ

-

ହେଏ ! ......(ରାଗି ଉଠୁଥିଲା)—

ଅର୍ଜୁନ

-

ଆଛା, ଠିକ୍ ଅଛି । ......ତା’ପରେ ଆସୁଛି ଲକ୍ଷପତି ବିପିନ୍ ଚୌଧୁରୀର ଭୂମିକା । ନାୟିକାର ବାପ । ଆଖିରେ ଆଭିଜାତ୍ୟ ଅହମିକା-ଅଧରରେ ବିଳାସର ତୃଷା-ଦେହରେ ବାର୍ଦ୍ଧକ୍ୟର ମଖମଲି ଗାଲିଚା ।

ପ୍ରମୋଦ

-

ନାଟ୍ୟକାର ମହାଶୟ ! ଦୟାକରି ସଂକ୍ଷେପରେ କୁହନ୍ତୁ । ରାତି ବେଶି ହେଲାଣି-କିଛି ଭାବିବେନି ଆଜ୍ଞା !

ଉଦ୍ଧବ

-

ଓଃ ! ମଝିରେ ତୁ ଗୋଟାଏ କାହିଁକି ଭୁଷ ପୂରୋଉଚୁ କହିଲୁ ? ଆରେ ଡାଇଲକ୍ ଶୁଣ୍ ।

ଅର୍ଜୁନ

-

ନାଁ ଏଗୁଡ଼ାକ ଡାଇଲକ୍ ନୁହେଁ-ଏସବୁ ମୋର ଚରିତ୍ରଗୁଡ଼ିକ ପ୍ରତି ଅବତରଣିକା ।

ଉଦ୍ଧବ

-

ଶୁଣରେ, ଅବତରଣିକା ତ ଏମିତି-ଡାଇଲକ୍ କେମିତ ହେଇନଥିବରେ ?

ପ୍ରଫୁଲ୍ଲ

-

ହଉ ଧୀରସ୍ଥିର ହୋଇ ଟିକେ ଶୁଣ । ଏଥର କୁହନ୍ତୁ ଆଜ୍ଞା !

ଅର୍ଜୁନ

-

ହଁ, ଏ ଭୂମିକାଟିପାଇଁ ଜଣେ ବୟସ୍କ ଏବଂ ପୋଖତ ଆର୍ଟିଷ୍ଟ ଦରକାର ।

ମଦନ

-

ତେବେ ଏ ରୋଲ୍‍କୁ ପ୍ରଫୁଲ୍ଲ କରୁ ।

ପ୍ରମୋଦ

-

ନା, ନା-ତପନ ଦା’ ଏ ରୋଲ୍‍କୁ ଏକବାରେ ଫିଟ୍ ।

ଉଦ୍ଧବ

-

ହଁ, ହିଁ-ତପନ ଦା’ ଏଇ ରୋଲ୍‍ଟା କରନ୍ତୁ । ଭଲ ହେବ ।

ଉପନ

-

ନା-ନା ବାବା-ଆମି ଅତୋ ବଡ଼ ରୋଲ୍ ପାର୍‍ବନା ।

ବନମାଳୀ

-

ସେ କଥା ଶୁଣାଯିବନି । ତମକୁ ଏ ରୋଲ୍ କରିବାକୁ ହେବ । କାଇଁ, ସେ ରୋଲ୍ କଲାବାଲା ଲୋକତ ଆଉ କେହି ମୋ ଆଖିକୁ ଦିଶୁନି ।

ଉଦ୍ଧବ

-

ନାଁ, ଆଉ କିଏ କାହିଁ ? ସେଇ ତପନ ଦା’ ତା ..

ପ୍ରଫୁଲ୍ଲ

-

ଓହୋ, ତମେ ଟିକେ ରୁହ ବାବୁ ! ସବୁ ରୋଲ୍‍ଗୁଡ଼ା ଜାଣିସାର । ତା’ପରେ କିଏ କୋଉ ରୋଲ୍‍ କରିବ ବିଚାରକରିବା, ସିନା-

ଉଦ୍ଧବ

-

ଆଉ ବିଚାର କ’ଣ ? ଏଇଟା’ତ ଠିକ୍ ହୋଇଗଲା । ତପନ ଦା’ ଏ ରୋଲ୍‍ଟା କରିବେ-ତା’ପର କଥା କୁହନ୍ତୁ ।

ଅର୍ଜୁନ

-

ତା’ପରେ ବହିର ନାୟକ ଶେଖର । ଜଣେ କବି ଆଉ ଆଦର୍ଶ ଯୁବକ ।

ମଦନ

-

ତେବେ ସେ ରୋଲ୍‍ଟା ମୁଁ କରିବି ।

ବନମାଲୀ

-

ଆଛା ସେଥିରେ ଲଭ୍ ସିନ୍ ଅଛି ?

ଅର୍ଜୁନ

-

ହଁ ଅଛି । ଲଭ୍ ସିନ୍ ବିନା ଏଭଳି ରୋମାଣ୍ଟିକ ନାଟକ ହେଇପାରିବନି ଯେ-

ବନମାଳୀ

-

ଚମତ୍କାର ! ଚମତ୍କାର !! ତାହାହେଲେ ଶେଖର ପାର୍ଟ ମୁଁ କରିବି ।

ମଦନ

-

ଯାବେ-ଏଭଳିଆ ହିରୋ ରୋଲ୍ କରିବାର ଚେହେରା ତୋର ଅଛିନା ?

ବନମାଳୀ

-

ଯାଉନୁ ! ତୋର ତ ଏକୁଟିଆ ଅଛି-ୟାବ ଚେହେରା ତ ଚେମେଣିଆ ମାର୍କା-

ମଦନ

-

ଯାବେ–ୟାଳ୍ପ ତୋ ଚେହେରା ତ ବାଦୁଡ଼ି ମାର୍କା ।

ଉଦ୍ଧବ

-

ଏ... ଏହେ !

ବନମାଳୀ

-

ହୁଠ୍ ବେ ?

ମଦନ

-

(ଉଠିପଡ଼ି) ଏ, ମୁହଁ ସମ୍ଭାଳି କଥାବାର୍ତ୍ତା କର ।

ଉଦ୍ଧବ

-

ଏଇରେ ବାବା ! ଚେମେଣିଆ ଆଉ ବାଦୁଡ଼ି ଉଠିଲେ ।-(ଦୁହେଁ ପାଟିତୁଣ୍ଡ କରିଥିଲେ)-

ପ୍ରଫୁଲ୍

-

ଓଃ ! କାହିଁକି ଗୁରା ପାଟିତୁଣ୍ଡ କରୁଚ !

ମଦନ

-

ନା, ବନମାଳୀ ଏ ବହିରେ ହିରୋ ହେଇପାରିବନି । ସେ କ’ଣ ସବୁ ବହିରେ ହିରୋ ହବାକୁ ପଟ୍ଟା କରିନେଇଛି ?

ବନମାଳୀ

-

ଆରେ ଯାଆମ । ମୁଁ ହିରୋ ହେଇ ଆସିଚି-ହଉଚି, ମଲାଯାଏ ଏମିତି ହଉଥିବି । ତୁ କ’ଣ ଆଜି ବନ୍ଦ କରିଦବୁ ?

ମଦନ

-

ମୁଁ କହିଦଉଚି-ବନମାଳୀ ଏ ବହିରେ ହିରୋ ହେଲେ ମୁଁ କ୍ଳବରେ ଆଉ ରହିବିନି । ସାଙ୍ଗେ ସାଙ୍ଗେ ରିଜାଇନ୍ ଦେବି । କଟକ ସହରରେ କିଛି କ୍ଲବର ଅଭାବ ନାହିଁ ।

ବନମାଳୀ

-

ଯାଆମ-ତୋ ଭଳିଆ ଆର୍ଟିଷ୍ଟ ବି କଟକ ସହରରେ ଅଭାବ ନାହାନ୍ତି । ୟାଳ୍ପ ରାସ୍ତାକଡ଼ରୁ ଗୋଟେଇ ଆଣିଲେ ଦି’ଗଣ୍ଡା ମିଳିବେ ।

ମଦନ

-

(ଉଠିପଡ଼ି ବନମାଳୀର ବେକ ପାଖରୁ ସାର୍ଟକୁ ଧରି) ଆବେ କ’ଣ କହିଲୁ-? ରାସ୍ତାକଡ଼ରୁ ମୋ ଭଳିଆ ଆର୍ଟିଷ୍ଟ ଗୋଟେଇ ଆଣିବୁ ?

ବନମାଳୀ

-

ହେଏ, ଭଦ୍ରତା ଜଗି କାରବାର କର !

ପ୍ରଫୁଲ୍

-

ଆରେ... ଆରେ.... ରେ ଏ କ’ଣ ?

ତପନ

-

(ଏଇ ସମୟରେ ଅର୍ଜୁନ ବାବୁ ଉଠି ପଳାଉଥିବା ଦେଖି)....ଆରେ, ଆପ୍ନି କୁଥାଏ ଚଲଛେନ୍.... (ଧରି ବସାଇ) ବସୁନ୍... ... l

ମଦନ

-

ୟାଳ୍ପ ଭାରି ଗୋଟାଏ ଦେଖେଇ ହଉଚି ।

ବନମାଳୀ

-

ଏ ଜବାନ୍ ସମ୍ଭାଲକେ ବାତ୍ କର । ମତେ ଚିହ୍ନିଚୁଟି ?

ମଦନ

-

ତୁ ମତେ ଚିହ୍ନିଚୁ ? ଭାରି କହିଲାବାଲା ! ତୁ ଏମିତ ପାରିଲା ପୁଅଟା ? ରାସ୍ତାକଡ଼ରୁ ମୋ ଭଳିଆ ଦି’ଗଣ୍ଡା ଆର୍ଟିଷ୍ଟ ଗୋଟେଇ ଆଣିବୁ । ଆଣିଲୁ-ଆଣିଲୁ ଦେଖିବା ?

ବନମାଳୀ

-

ଆବେ ଯାଃ– ଯାଃ !

ଉଦ୍ଧବ

-

ହେ ଏଇ.....ଶାନ୍ତି....ଶାନ୍ତି.....ଶାନ୍ତି ! !

ପ୍ରଫୁଲ୍ଲ

-

ଓହୋ ! ଆରେ ମଦନ ବାବୁ-ବନମାଳୀ ବାବୁ ! (ଦୁହିଁଙ୍କୁ ବସେଇ)-ତମେସବୁ ଟିକିଏ ବସିଲ । ଆଚ୍ଛା ଆମ ଭିତରେ ଯଦି ଏମିତି ହବା-ଭଦ୍ରଲୋକ ଜଣକୁ ଆଣି ଭଣ୍ଡୁର କରିବା ଛଡ଼ା ଇଏ ଆଉ କ’ଣ ହଉଚି ? ଅର୍ଜୁନବାବୁଙ୍କୁ ... କିଛି ଭାବିବେନି ଆଜ୍ଞା । ପ୍ରତି କ୍ଲବ୍‍ମାନଙ୍କରେ ଏମିତି ସବୁ ଗୋଳମାଳ ହୁଏ ।

ଅର୍ଜୁନ

-

ଠିକ୍ ଅଛି । ଛାଡ଼ନ୍ତୁ ସେକଥା ! ତା’ପରେ ଆସୁଚି ଭିଲିୟାନ୍ ରଣଜିତ୍ । ଏ ରୋଲ୍‍ଟା ନାୟିକା ସହିତ ବାରମ୍ବାର ଅଛି । ନାୟିକାକୁ ଅନେକଥର ଆକ୍ରମଣ କରିଛି ।

ବନମାଳୀ

-

ତେବେ ସେ ରୋଲ୍‍ଟା ମୁଁ କରିବି । ମଦନ କରୁ ହିରୋ ରୋଲ୍ । ଦେଖିବା-

ମଦନ

-

ଆରେ ଦେଖିବା କ’ଣ’ମ-ମୁଁ ଫାଷ୍ଟକ୍ଲାସ ରୋଲ୍ କରିବି । ଦେଖିବୁ ମତେ କେମିତି ପବ୍ଲିକ ପ୍ରଶଂସା କରିବେ ।

ବନମାଳୀ

-

ହଉ ହିରୋ ହଅ ଏଥର-ଦେଖିବା କ’ଣ ତାଞ୍ଚୁଚୁ ତାଞ୍ଚ ।

ମଦନ

-

ଏଁ ପୁଣି ... ମୁହଁ ସମ୍ଭାଳି କଥାବାର୍ତ୍ତା କର ।

ତପନ

-

(ଅର୍ଜୁନ ବାବୁ ପୁଣି ଉଠିଯାଉଥିବା ଦେଖି)-ଆପନି ବସୁନ୍ ମଶାଏ । ଆପନି କୁଥାଏ ଯାଛେନ୍ ?

ଉଦ୍ଧବ

-

ଏହେ-ଛିଃ-ଥାଉ !

ପ୍ରଫୁଲ୍ଲ

-

ବନମାଳୀ ବାବୁ ! ତମେ ଟିକିଏ ଚୁପ୍ ରୁହ ।

ପ୍ରମୋଦ

-

ଆଛା, ତମେ ଦିହେଁ କ’ଣ ଅମକୁ କିଛି କରେଇଦେବନି ? ହଇ ହୋ-

ଉଦ୍ଧବ

-

ହଁ, କ’ଣ ତମେ ମନରେ ସବୁ ଅଛି କହିଲ ଭାଇ ?

ପ୍ରଫୁଲ୍ଲ

-

ଟିକିଏ ବାବୁ ସମସ୍ତେ ଚୁପ୍ ହେଲ । (ନାଟ୍ୟକାରକୁ).. ଆଜ୍ଞା, ଆଉ ରୋଲ୍ କିଛି ?

ଅର୍ଜୁନ

-

ହଁ, ହଁ, ଆଉ ଅନେକ ରୋଲ୍ ଅଛି । ତା’ଭିତରୁ ସିରିୟସ୍ ରୋଲ୍‍ଟା ହଉଛି ଦୀନାର-ବିପନ୍ ଚୌଧୁରୀଙ୍କ ଚାକର-ଏଇଟା ଗୋଟାଏ ଟିପିକାଲ୍ ରୋଲ୍ । ସେମିତି ଜଣେ ପୋଖତ୍ ଆର୍ଟିଷ୍ଟ ନହେଲେ ପାରିବେନି ।

ଉଦ୍ଧବ

-

ଆମର ଏଠି ସମସ୍ତେ ପୋଖତ ଆଜ୍ଞା । ଆପଣ ଅଳ୍ପେ ବହୁତେ ତ ଜାଣିସାରିଲେଣି । ଏଠି ଯାହାକୁ ଯୋଉ ରୋଲ୍ ଦେବେ ସେ ମ୍ୟାନେଜ କରିନେବ । ଏଠାକାର ସମସ୍ତେ ଶିକ୍ଷିତ ସଭ୍ୟ ।

ପ୍ରମୋଦ

-

ତେବେ ଉଦ୍ଧବ ସେଇ ଚାକର ରୋଲ୍‍ଟା ନେଉ । ମୁଁ ଜାଣେ ସେ ଭଲ ପାରିବ ।

ତପନ

-

ହଁ, ଉଦ୍ଧବ ରୋଲ୍‍ଟା କରୁ ।

ଅର୍ଜୁନ

-

ମୁଁ ଟିକିଏ କହିରଖେ-ଚାକର ରୋଲ୍‍ଟି ପୂର୍ବପରି ମାଇଚିଆ ।

ଉଦ୍ଧବ

-

ମାଇଚିଆ ! (ମୁହଁ ଟିକିଏ ଶୁଖେଇଦେଇ)............ ତା’ହେଲେ...

ପ୍ରଫୁଲ୍ଲ

-

ନା-ନା, ମନାକଲେ ଚଳିବନି । ତୁମକୁ ସେ ରୋଲ୍‍ଟା କରିବାକୁ ହେବ ।

ପ୍ରମୋଦ

-

(ଠିଆ ହୋଇପଡ଼ି)... ଆଉ ମୋର ବନ୍ଧୁମାନେ ପ୍ରାୟ ସମସ୍ତେ ଜାଣନ୍ତି, ଭଲ ପ୍ରମ୍ଫଟର ହିସାବରେ ମୋର ଦଶବର୍ଷର ଅଭିଜ୍ଞତା ଅଛି । ତେଣୁ ମତେ ଆଉ ପାଉଡ଼ର ମାଖିବାକୁ ନଦେଇ-ସେଇ କାମଟା ଛାଡ଼ି ଦିଆଯାଉ-

ପ୍ରଫୁଲ୍ଲ

-

ହଁ, ହଁ, ପ୍ରମୋଦ ପ୍ରମ୍ପଣ୍ଟିଙ୍ଗ୍ କରିବ-ଆଉ ମୁଁ ଷ୍ଟେଜ୍ ମ୍ୟାନେଜ୍‍ମେଣ୍ଟ କରିବି ।

ଅର୍ଜୁନ

-

ଆଉ କେଇଟା ରୋଲ୍ ରହିଲା ଯେ-

ମଦନ

-

ରହୁ, ରହୁ ରିହାରସାଲ ଦିନ ସେସବୁ କଥା ଠିକ୍ ହେଇଯିବ । ଆମର ଆହୁରି ଅନେକ ସଭ୍ୟ ଆସିନାହାନ୍ତି । ସେମାନଙ୍କୁ ଗୋଟାଏ ଗୋଟାଏ ଧରେଇଦେଲେ ଯିବ । ମେନ୍ ରୋଲ୍ ତ ଗଲା-ଆଉ ଚିନ୍ତା କ’ଣ ?

ବନମାଳୀ

-

ଭାଇମାନେ, ଆଉ ଗୋଟାଏ କଥା । ଡାଇରେକ୍ଟର କାହାକୁ ଡାକିବା ସେଇଟାତ ଠିକ୍ କଲେନି ।

ଅର୍ଜୁନ

-

ହଁ-ହଁ, ସେଇଟା ନିହାତି ଠିକ୍ କରିବା କଥା ।

ଉଦ୍ଦବ

-

ମୋ ମତରେ ବାବି ବାବୁଙ୍କୁ ଡାକ । ଡ୍ରାମାଟା ଚମତ୍କାର ହେବ । ଆଉ ତାଙ୍କ ନାଁ ଶୁଣି ବି ଲୋକେ ବେଶି ହେବେ ।

ପ୍ରମୋଦ

-

ଯା-ଯା, ସେ’ତ ଚାରିଆଡ଼େ ଏନଗେଜ୍ । ତମେ ସବୁ ଗଲେ ସେ ସଫା ମନା କରିଦେବେ । ସେ ଆଗରେ ହଁ, ପଛରେ ନାହିଁ କହିଲା ଲୋକ ନୁହନ୍ତି-। ତା’ପରେ ମୁଁ ଜାଣିଚି ସେ ମୋଟେ ଆସିପାରିବେନି ।

ତପନ

-

ଆମାର ମତରେ କୃଷ୍ଣସିଂଙ୍କୁ ଡାକିଲେ ଭାଲୋ ହବେ । ଆର୍ମେଚର ପାଟିକୁ ଡାଇରେକ୍‍ସନ ଦବାରେ ଭାଲୋ ନାଁ ଅଛି ଓଦେର ।

ପ୍ରଫୁଲ୍ଲ

-

ହଉ, ସେଇଟା ପଛେ ଦେଖିବା-ଯିଏ ଆଭେଲେବୁଲ୍ ହେବେ ।

ମଦନ

-

ଆଛା ଲେଡ଼ି ଆର୍ଟିଷ୍ଟ !.....ସେ କଥାତ କେହି ଚିନ୍ତା କରୁନା ।

ଉଦ୍ଧବ

-

ଲେଡ଼ିଆର୍ଟିଷ୍ଟ କଥା ସେକ୍ରେଟାରୀ ଉପରେ ଛାଡ଼ିଦିଅ । ସେ ବୁକ୍ କରିବେ ।

ମଦନ

-

କିନ୍ତୁ ଭଲ ମ୍ୟାଚ୍ କଲାଭଳି-ମାନେ ସେଇ ରୋଲ୍‍କୁ.....

ପ୍ରଫୁଲ୍ଲ

-

ହଉ ସେ ଦାୟିତ୍ୱ ମୁଁ ନେଲି । ଆଛା, ରିହାରସାଲ୍ କେବେ ଆରମ୍ଭ କରିବା ।

ବନମାଳୀ

-

ଆସନ୍ତାକାଲିଠାରୁ ହେଉ ।

ପ୍ରମୋଦ

-

ହଁ, ହଁ, ଶୁଭସ୍ୟ ଶୀଘ୍ରମ୍ ।

ଉଦ୍ଧବ

-

ଆଉ ଶୁଭ କ’ଣ’ମ-ଦିନ ଆଉ କାହିଁକି ? ଆଜି ଦିନଟା ତ ଗଲା-ହେଲା ଦିନ ହେବ । ମଝିରେ ଆଉ କେଇଟା ଦିନ ଯେ-

ପ୍ରଫୁଲ୍ଲ

-

ହଉ ତେବେ କାଲିଠୁ ଆରମ୍ଭ ।

ମଦନ

-

ଲେଡ଼ି ଆର୍ଟିଷ୍ଟ କାଲି ଆସିବେ ତ ?

ଉଦ୍ଧବ

-

ଆବେ ହେ, ଏଇଟାକୁ ହିଷ୍ଟ୍ରିଆ ହେଇଗଲାଣି । ଲେଡ଼ି ଲେଡ଼ି ହେଇ ଏଇଟା ମରିଯିବରେ ।

ମଦନ

-

ଯା’ ମ, ସବୁ କଥା ବୁଝିବାନା ଫେରେ ।

ପ୍ରଫୁଲ୍ଲ

-

କାଲି ସକାଳୁ ମୁଁ ସେ ଅଭିଯାନ ଆରମ୍ଭ କରିବି ।

ବନମାଳୀ

-

ହଅମ, ସେଇଟା ତ ଧୀର ସୁସ୍ଥ କଥା । ଆରେ ପଇସା ନେଇ ଯିଏ ଆସିବ-ସିଏ ଦି’ ଦିନେ ମେକ୍ଅଫ୍ କରିନେବ । ଅସଲ ହେଲା ଆମ କଥା-

ଉଦ୍ଧବ

-

କାହିଁକି ଆମ ଆର୍ଟିଷ୍ଟମାନେ କିଛି କମ୍ ନୁହନ୍ତି ଦେଖିବ, କେମିତି ଏ ବହିକି ଫୁଟେଇବେ ।

ଅର୍ଜନ

-

ହଉ, ହଉ, ଦେଖିବା ।

ତପନ

-

ବୁଝିଲେନ୍ ଦାଦା-ଆମାର ବାଙ୍ଗଲାତେ, ମୁଁ ଏ ରକମ ଭାଲୋ ବହି ଦେଖିନି-

ଅର୍ଜୁନ

-

ହଉ, ଅଭିନୟ କରି ଦେଖ । ସମସ୍ତଙ୍କର ସୁନାମ ହେବ ।

ମଦନ

-

ଭଲ କ୍ଳବରେ ଭଲ ବହି ପଡ଼ିଲେ, ନିଶ୍ଚୟ ସୁନାମ ହେବ ଆଜ୍ଞା ।

ପ୍ରଫୁଲ୍ଲ

-

ତେବେ ଆଜିର ଅଧିବେଶନ ଏତିକିରେ ଶେଷ କରାଯାଉ ।

ପ୍ରମୋଦ

-

ହଁ-ହଁ, ରାତି ବେଶି ହେଲାଣି ।

ମଦନ

-

କାଲି କେତେବେଳକୁ ଆସିବା ଭାଇମାନେ ?

ବନମାଳୀ

-

ଏତିକି ବେଳକୁ ।

ମଦନ

-

ଏତିକି ବେଳକୁ ମାନେ ? ବେଳାବେଳି ଆସିବାକୁ ହେବନା । ବେଶି ରାତିଯାଏ ରହିହେବନି ଯେ । ତା’ପରେ ବାହାରୁ ଯେଉଁମାନେ ଆସିବେ–ଏଇଥର ଲେଡ଼ି ଆର୍ଟିଷ୍ଟ-ସେମାନେ କ’ଣ ଶୀତରେ ବେଶି ରାତିଯାଏ ରହିପାରିବେ ?

ବନମାଳୀ

-

ବୁଝିଲୁ ମଦନ-ସତକୁ ସତ ତତେ ହିଷ୍ଟ୍ରିଆ ହୋଇଗଲାଣି । ମୁଁ ଦେଖୁଚି ତୁ ଲେଡ଼ି ଆର୍ଟିଷ୍ଟ ସକାଶେ ପାଗଳ ହେଇଯିବୁ ।

ମଦନ

-

(ହସିଉଠି) ହୁଠ୍ ବେ ! ତମେ ସବୁ ତ ଏଇୟା ଭାବିବ ।

ପ୍ରଫୁଲ୍ଲ

-

ଚାଲ, ଚାଲ । ଆଉ ପାଟିକରନା ।

ଉଦ୍ଧବ

-

ହଉ, ଚାଲ-(ଲେଖକଙ୍କୁ) ଆଜ୍ଞା ! ଚାହା ପାଣି ଆଜି କିଛି ହେଇପାରିଲାନି । କାଲି ବନ୍ଦୋବସ୍ତ କରିଦେବା କିଛି ଭାବିବେନି । ହଉ-ବୋଲ ଭାଇ....ହରିବୋଲ ! [ସମସ୍ତେ ହରିବୋଲ କହିଲାବେଳେ ତପନ ଦା’ ଛିଙ୍କୁଥିବା ଦେଖି]....ଏ ହେ-ହେ ! ଗୋଟାଏ ଶୁଭ କାମ ବେଳେ ଛିଙ୍କୁଚ ! କି ବେମଙ୍ଗୁଳିଆ ଲୋକଟାମ

 

 

ମଞ୍ଚ ଅନ୍ଧାର

***

 

ଦ୍ଵିତୀୟ ପରିବେଶ

 

 

 

[ସମୟ ରାତ୍ରି । ସ୍ଥାନ ସେଇ କ୍ଲବ ଘର । ସେଇ ପୂର୍ବ ପରିବେଶ । ମଞ୍ଚ ଆଲୋକିତ ହେଲାବେଳକୁ ଦେଖାଗଲା ନିର୍ଦ୍ଦେଶକ ଓ ନାଟ୍ୟକାର ଆସିନ । ଦୁହେଁ ନାଟକର ଲେଖା ଦେଖିବାରେ ବ୍ୟସ୍ତ । ପାଖଘରୁ ମିଶ୍ରିତ ବେସୁରା ସଙ୍ଗୀତର କଟୁସ୍ରୋତ ଭାସିଆସୁଛି । ଭିତର ଗୋଳମାଳକୁ ଦବାଇବାକୁ କହି କହି ମଞ୍ଚକୁ ପଶିଆସିଲେ ପ୍ରଫୁଲ୍ଲ । ନିର୍ଦ୍ଦେଶକ ଗଗନବାବୁ ପ୍ରଫୁଲ୍ଲକୁ ଦେଖି]

 

 

 

ଗଗନ

-

ପ୍ରଫୁଲ୍ଲ ବାବୁ ! ମିଉଜିକ୍ ବନ୍ଦ କରିବାକୁ ଟିକେ କହିଆସନ୍ତୁ ।

ପ୍ରଫୁଲ୍ଲ

-

ହେ, ମିଉଜିକ୍ ବନ୍ଦକର ।

ଗଗନ

-

ଆଉ ହଁ, ଦୟାକରି ବିପିନ୍ ଚୌଧୁରୀ ଓ ରଣଜିତକୁ ଡାକିଦିଅନ୍ତୁ ।

ପ୍ରଫୁଲ୍ଲ

-

ତପନ ଦା’ ଆଉ ବନମାଳୀ ବାବୁ-ଏଣେ ରୋଲ୍ ପଡ଼ିଲା-ଆସ, ଆସ ।

ବନମାଳୀ

-

(ଭିତରୁ) ଆସ ଆସ ଦାଦା ।

ତପନ

-

(ଭିତରୁ) ଚାଲୁନ୍ ଦାଦା ।

ଗଗନ

-

ପ୍ରମ୍ପଟର ? ପ୍ରମ୍ପଟର କୁଆଡ଼େଗଲେ ?

ପ୍ରମୋଦ

-

(ଆସୁ ଆସୁ) I am ready

ତପନ

-

ନୋମସ୍କାର !

ଗଗନ

-

ହଉ, ସିନ୍ ଆରମ୍ଭ କର ।

ପ୍ରମୋଦ

-

(ବହିଧରି) ତମେ ମନେରଖ ରଣଜିତ୍

ତପନ

-

ତୁମି ମନେରଖ ରଣଜିତ୍ ...

ଗଗନ

-

ବି କ୍ଳିଅର ! (ତପନ ଦା’ ନ ଶୁଣି ପାରିବାରୁ) ସ୍ପଷ୍ଟ କୁହନ୍ତୁ ।

ତପନ

-

ତୁମି ମନେରଖ ରଣଜିତ୍ !

ଗଗନ

-

ନା-ନା, ମିଷ୍ଟର ଚୈାଧୁରୀ ! ଆପଣ ସ୍ପଷ୍ଟ ଭାବରେ କୁହନ୍ତୁ । ମୁହଁରେ ଗ୍ରାଭିଟ୍ ରଖନ୍ତୁ । କଣ୍ଠ ମୋଟା କରନ୍ତୁ । ....ତୁମେ ମନେରଖ ରଣଜିତ୍ ହଁ କୁହନ୍ତୁ ?

ତପନ

-

(ଗର୍ଜିଲା ସ୍ୱରେ) ତୁମେ ମନେରଖ ରଣଜିତ୍ !

ଅର୍ଜୁନ

-

ମଡ଼ର୍, ମଡ଼ର୍ ! ଏମିତି ମୋଟେ ହେଇପାରିବନି ।

ଗଗନ

-

ଆପଣ ରୋଲ୍‍କୁ ଭଲଭାବରେ ପଢ଼ିନାହାନ୍ତି ମିଷ୍ଟର ଚୌଧୁରୀ ।

ତପନ

-

ହାଁ-ହାଁ, ଆମି ଏକବାରେ ମୁଖସ୍ତ କରିଦିଛି ।

ଗଗନ

-

ତେବେ ସ୍ପଷ୍ଟ କହୁନାହାନ୍ତି କାହିଁକ ?

ତପନ

-

ଅତୋ ଟୁକୁ ଭୟ.......

ଅର୍ଜୁନ

-

ଆହା, ଭୟକଲେ ପାର୍ଟ କରିବେ କେମିତି ?

ପ୍ରଫୁଲ୍ଲ

-

ତପନ ଦା’ ! ମୁଁ ଦେଖୁଛି ଆମକୁ ଷ୍ଟେଜରେ ଭଣ୍ଡୁର ହେବାକୁ ପଡ଼ିବ ।

ତପନ

-

ନାଁ-ନା, ଆମି ଷ୍ଟେଜତେ ମେରେଦିବ ।

ଗଗନ

-

ପ୍ରମୋଦ ବାବୁ ! ରଣଜିତ୍‍ର ପ୍ରମ୍ପଟିଙ୍ଗ କରନ୍ତୁ । ଦେଖନ୍ତୁ ମିଷ୍ଟର ଚୌଧୁରୀ-ଆପଣ ବାରମ୍ୱାର ଅଭ୍ୟାସ କରନ୍ତୁ । ନହେଲେ ଦର୍ଶକଙ୍କ ଆଗରେ ଆମକୁ ଅପଦସ୍ଥ ହେବାକୁ ପଡ଼ିବ ।

ବନମାଳୀ

-

ହେ ପ୍ରମୋଦ ! ମୋ ରୋଲ୍ କହ ।

ପ୍ରମୋଦ

-

(ଧିରେ କହିବା) – ଆପଣ ଭାବି ଦେଖନ୍ତୁ ଚୌଧୁରୀ ସାହେବ !

ବନମାଳୀ

-

(ଖୁବ୍ ଜୋରରେ କହୁଥିଲେ)- ଆପଣ ଭାବିଦେଖନ୍ତୁ ଚୌଧୁରୀ ସାହେବ !

ଗଗନ

-

ଆଉ ଟିକେ ଲୋ ଭଏସ୍ ।

ବନମାଳୀ

-

ଆପଣ ଭାବିଦେଖନ୍ତୁ ଚୌଧୁରୀ ସାହେବ !

ପ୍ରମୋଦ

-

(ପ୍ରମ୍ପଟିଙ୍ଗ) ଏଇ ଆଭିଜାତ୍ୟର ଅହମିକା ନେଇ ଆପଣ ମୋତେ ଆଘାତ କରିଛନ୍ତି-

ବନମାଳୀ

-

ଏଇ ଆଭିଜାତ୍ୟର ଅହମିକା ନେଇ ଆପଣ ମୋତେ ଆଘାତ କରିଛନ୍ତି-

ପ୍ରମୋଦ

-

(ପ୍ରମ୍ପଟିଙ୍ଗ) କିନ୍ତୁ ମନେରଖନ୍ତୁ ବିପିନ୍ ଚୌଧୁରୀ-ଏ ଅପମାନର ପ୍ରତିଶୋଧ ନେବାର ଯୁବକ ଏ ଦେଶରେ ଅଭାବ ନାହାନ୍ତି ।

ବନମାଳୀ

-

(ଉତ୍ତେଜିତ ସ୍ୱରରେ) କିନ୍ତୁ ମନେରଖନ୍ତୁ ତପନ ଚୌଧୁରୀ-ଏ ଅପମାନର ପ୍ରତିଶୋଧ ନେବାର ଯୁବକ ଏ ଦେଶରେ ଅଭାବ ନାହାନ୍ତି । [ଶେଷବେଳକୁ ଏତେ ଜୋରରେ ହାତ ବୁଲାଇଆଣିଲେ ଯେ ତାଙ୍କ ହାତ ଯାଇ ବାଜିଲା ତପନ ଦା’ଙ୍କର ନାକରେ]

ତପନ

-

ଓରେ ବାବା-ମେରେ ଗେଲରେ !

ପ୍ରଫୁଲ୍ଲ

-

କ’ଣ ହେଲା ? କ’ଣ ହେଲା ?

ବନମାଳୀ

-

(ନିଜ ହାତକୁ ଚାହିଁ) କାଇଁ, କିଛି ନାଇଁତ ?

ତପନ

-

ଆଃ ! ଆମାର ନାକଟା ଫେଟେ ଗେଲ....

ବନମାଳୀ

-

ଏଁ ! ଫାଟିଲା କେମିତି ? ଏଇ ସାମାନ୍ୟ ହାତ ବାଜିଛି ମାତ୍ର । ପାର୍ଟ କଲେ ଏମିତି ବି ହୁଏ ।

ଅର୍ଜୁନ

-

ନାଁ’ମ, ଏମିତି କ’ଣ ହୁଏ ?

ଗଗନ

-

ଆପଣ ବଡ଼ ଉତ୍ତେଜିତ ହୋଇପଡ଼ୁଛନ୍ତି, ବନମାଳୀ ବାବୁ ! ବିପିନ ଚୌଧୁରୀ ଜାଗାରେ ତପନ ଚୌଧୁରୀ କହିଦଉଛନ୍ତି । ଆଉ ଏତେ ଜୋରରେ ପାଟିକରି ହାତ ହଲାଉଛନ୍ତି ଯେ-ଆପଣଙ୍କର ହୋସ ବି ରହୁନି ।

ବନମାଳୀ

-

କଳାରେ ବେହୋସ ନ ହେଲେ ଅଭିନୟ ଜୀବନ୍ତ ହେବନି ଆଜ୍ଞା ।

ଅର୍ଜୁନ

-

ହବ, ହବ ବାବୁ ! କରିପାରିଲେ ସବୁ ହବ । ଏମିତି ଭୋଳହେଲେ ଚଳିବ ?

ତପନ

-

ଆମି ଟିକିଏ ବିଶ୍ରାମ ଚାଇ ।

ପ୍ରଫୁଲ୍ଲ

-

ହଁ, ହଁ-ଆପଣ ବିଶ୍ରାମ ନିଅନ୍ତୁ ।

ଗଗନ

-

ତମେ ଯାଅ ରଣଜିତ୍-ଶେଖରଙ୍କୁ ଡାକିଦିଅ ।

ବନମାଳୀ

-

ଏ ମଦନ ! ମଦନ ! ଆରେ ରୋଲ ପଡ଼ିଲା-ଆ !

ମଦନ

-

(ପ୍ରବେଶି) ମୁଁ ଉପସ୍ଥିତ ସାର୍ !

ବନମାଳୀ

-

ମୋ ରୋଲ୍ ଆଉ ହବନି ଆଜ୍ଞା ?

ଗଗନ

-

ହଁ ହବ ଯେ-ମିଷ୍ଟର ଚୌଧୁରୀ ଟିକେ ସୁସ୍ଥ ହୁଅନ୍ତୁ । ଆଚ୍ଛା, ଆଉ ଗୋଟାଏ ସିନ୍ କର । ଶେଖର ରୋଲ୍‍ଟା ଦେଖିବା ।

ମଦନ

-

ମୋ ରୋଲ୍ ପାଖରେ ତ ଆଜ୍ଞା ଲେଡ଼ି ଆର୍ଟିଷ୍ଟ ରୋଲ୍ ଅଛି । ଦେଖନ୍ତୁ ଆଜ୍ଞା, ମୋ ରୋଲ୍ ଖରାପ ହେଲେ ମୋତେ ପଛରେ ଦୋଷ ଦେବେନି । ମୁଁ ଆରମ୍ଭରୁ କହିରଖିଛି-କୋ-ଆର୍ଟିଷ୍ଟ ନଥିବାରୁ ପାର୍ଟ ଭଲ ଜମୁନି ।

ପ୍ରଫୁଲ୍ଲ

-

ଆରେ ବାବୁ, ଦେଖୁଛ ତ ସେମାନଙ୍କର ଦାଉ କେମିତି । ମହାଦେବଙ୍କ ପାଖରେ ଧାରଣା ଦେଲାଭଳି-ଦିନକୁ ଦଶଥର ତାଙ୍କ ଦୁଆରେ ଧାରଣା ଦେବାକୁ ପଡ଼ୁଛି ।

ମଦନ

-

ସେ ନ ହେଲା । ଏବେ ଆଉକାହାକୁ ଦେଖ ।

ପ୍ରଫୁଲ୍ଲ

-

ଏଁ ! ଏତେବେଳକୁ କହୁଛ ଆଉ କାହାକୁ ଦେଖ । ମୂଳରୁ ତ କହିଲ ଉର୍ବଶୀହିଁ ଉର୍ବଶୀ ରୋଲପାଇଁ ଫିଟ୍ । ତାକୁତ ସେଥିପାଇଁ ଆଡ଼ଭାନ୍‍ସ ଦିଆଗଲା । ପାର୍ଟ ଲେଖି ଦିଆଗଲା । ଶେଷରେ ପୁଣି ଚେଞ୍ଜ କର । ଆଚ୍ଛା କଥା !

ଗଗନ

-

ଆହେ ବାବୁ ! ତମେ ନିଜ ରୋଲ୍ ସବୁ ଦେଖିଲ । ସେମାନେ ଅନେକ ଷ୍ଟେଜରେ ଠିଆ ହୋଇଛନ୍ତି । ଗୋଟାଏ ଦିନରେ ମେକ୍ଅଫ୍ କରିନେବେ । ତମେ ନିଜକୁ ଆଗ ସଜାଡ଼ିଲ ।

ପ୍ରଫୁଲ୍ଲ

-

ହଁ, ନିଜକୁ ଆଗ ଦେଖ ।

ମଦନ

-

ତେବେ ଉର୍ବଶୀ ରୋଲ୍ ବର୍ତ୍ତମାନ କରିବ କିଏ ? ସେ ରୋଲ୍ ବିନା ମୋର ତ ପାର୍ଟ ହେଇପାରିବନି ।

ଗଗନ

-

ଏଇ ଜଣେ କିଏ ପ୍ରକ୍‍ସି ଦେଲେ ହବ ।

ପ୍ରଫୁଲ୍

-

ଆପଣ କାହାକୁ କୁହନ୍ତୁ ।

ଗଗନ

-

ଆଚ୍ଛା, ଅର୍ଜୁନ ବାବୁ-ଆପଣ ଯଦି କିଛି ନ ଭାବନ୍ତି-ଟିକିଏ ପ୍ରକ୍‍ସି ଦିଅନ୍ତୁ ।

ଅର୍ଜୁନ

-

ଆଚ୍ଛା ଠିକ୍‍ଅଛି । (ଆସି ଠିଆହେଲେ)

ମଦନ

-

ଆପଣ !!!

ଅର୍ଜୁନ

-

ଆରେ ସେଥିରେ କ’ଣ ଅଛି । ତମେ ଭାବିନିଅ ମୁଁ ଉର୍ବଶୀ । ଶୁଣ, ଯିଏ ନାଟ୍ୟକାର–ସେସବୁ ରୋଲ୍‍କୁ ନିଜେ ଭାଷା ଭାବ ଦେଇ ନପାରୁଥିଲେ-ଲେଖିପାରିବନି । ଲେଖିଲାବେଳେ ଆମକୁ ମାନସ- ମଞ୍ଚରେ ହିରୋ ହିରୋଇନ୍ ହେବାକୁ ପଡ଼େ ।

ପ୍ରଫୁଲ୍ଲ

-

ଠିକ୍ ଅଛି । ତମେ ତମ ରୋଲ୍ କର ମଦନ ।

ଗଗନ

-

ପ୍ରମ୍ପଟିଙ୍ଗ ! ପ୍ରମ୍ପଟିଙ୍ଗ !!

ପ୍ରମୋଦ

-

ହଁ, ସିଚୁଏସନ୍ କହିରଖେ-ବର୍ତ୍ତମାନ ନାୟିକା ହିରୋ କଥା ସାମାନ୍ୟ ଭୁଲିଯାଇଛି । ଭିଲିୟାନ୍ ଆଡ଼କୁ ଢଳିଚି । ହିରୋ ଜେଲ୍‍ରୁ ଫେରିଚି । ଏଥର ଡାଇଲକ୍ କହ ମଦନ ।

ମଦନ

-

ହଁ, ମୁଁ ରେଡ଼ି !

ଗଗନ

-

ଆପଣ ଏପଟକୁ ଆସନ୍ତୁ ଅର୍ଜୁନ ବାବୁ । ଟିକେ ସେ’ଆଡ଼କୁ ମୁହଁକରି ଫେରନ୍ତୁ ।

ଅର୍ଜୁନ

-

ଠିକ୍ ଅଛି-ମତେ କହିବା ଦରକାର ନାହିଁ ମ । ମୁଁ ମ୍ୟାନେଜ କରିନେବି ।

ପ୍ରମୋଦ

-

କୁହ ମଦନ–ଉର୍ବଶୀ ! ଉର୍ବଶୀ !!

ମଦନ

-

ଉର୍ବଶୀ ! ଉର୍ବଶୀ !!

ଗଗନ

-

ହେଲାନି ମଦନ ବାବୁ ! ସ୍ୱର ଆଉ ଟିକିଏ କରୁଣାକ୍ତ କରନ୍ତୁ । ଗୋଟାଏ ହାତ ଏମିତି କରନ୍ତୁ-(ହାତଧରି ବତେଇ ଦେବା) ବାସ୍....କୁହନ୍ତୁ ।

ମଦନ

-

ଉର୍ବଶୀ ! ଉର୍ବଶୀ !!

ଅର୍ଜୁନ

-

କିଏ ?

ପ୍ରମୋଦ

-

(ଧୀରେ) ମତେ ଚିହ୍ନିପାରୁନା ଉର୍ବଶୀ ? ମୁଁ...ମୁଁ ଶେଖର ।

ମଦନ

-

ମତେ ଚିହ୍ନିପାରୁନା ଉର୍ବଶୀ ? ମୁଁ ମଦନ !.....

ପ୍ରଫୁଲ୍ଳ

-

ଏ, ମଡ଼ର୍ ! ମଡ଼ର୍ !! ହଇହୋ ମଦନବାବୁ-ତମେ ତମ ଭୂମିକା ନାଁ ନ କହି.....

ମଦନ

-

Sorry ! ଏଥରକ ଠିକ୍ ଅଛି ।

ଗଗନ

-

ଷ୍ଟେଜରେ ଏମିତ Sorry ହେବନି ତ ?

ଅର୍ଜୁନ

-

କିଏ ଜାଣେ, ପାଟିରୁ ବାହାରିପଡ଼ିବ ଯଦି ।

ମଦନ

-

ନା, ସାର୍ ସବୁ ଗୋଳମାଳ ହେଉଛି ଫିମେଲ୍ ଆର୍ଟିଷ୍ଟ ସକାଶେ । ଉର୍ବଶୀ ଯଦି ଏ ରୋଲ୍ କରୁଥାନ୍ତା-ମୁଁ କ’ଣ ଏତେବଡ଼ ଭୁଲ୍‍ଟା କରିଥାନ୍ତି । ମୋର ତ ମୋଟେ ଫିଲିଙ୍ଗ ଆସୁନାହିଁ ଆଉ ।

ପ୍ରମୋଦ

-

ତମେ ତ ମୋଟେ ପ୍ରମ୍ପଟିଙ୍ଗ ଶୁଣୁନା, ଯା’ଇଚ୍ଛା ତାଇ କହିଯାଉଛ ।

ଗଗନ

-

[ଏଇ ସମୟରେ ଦେଖାଗଲା ମିଷ୍ଟର ଚୌଧୁରୀ ଚେୟାରରେ ଶୋଇଯାଇଛନ୍ତି-। ସେ ଅସମ୍ଭବଭାବେ ଘୁଂଗୁଡ଼ି ମାରୁଛନ୍ତି ।]- ଏ କ‘ଣ ! ସବୁ ସଇଲା । ରିହାରସାଲରେ ଶୋଇଲେ ଡ୍ରାମା ମାଟି ହେଇଯିବ ଯେ । ଉଠାଅ, ଉଠାଅ, ମିଷ୍ଟର ଚୌଧୁରୀଙ୍କୁ ।

ପ୍ରଫୁଲ୍ଲ

-

ତପନ ଦା’ ଓ ତପନ ଦା’ ଆରେ ଏଠି ଗୋଟା ଶୋଇଲ କ‘ଣ ମ । ବୁଢ଼ାଟେ ହେଲଣି...

ତପନ

-

ଆରେ ନା, ଆମି ଶୋଇନି ଯେ-ଏଇ ମାତ୍ର ଘୁମ୍‍ପାଛିଲ ।

ମଦନ

-

ଯା-ଯାଃ, ଏଡ଼େ ଏଡ଼େ ଘୁଂଗୁଡ଼ି ମାରୁଥିଲ ଯେ-ମୁଁ ମୋଟେ ପ୍ରମ୍ପଟିଙ୍ଗ ଶୁଣିପାରିଲିନି । ଆଜ୍ଞା, ସେଇଥିପାଇଁ ମୋର ଭୁଲ୍ ହେଲାପରା ।

ଗଗନ

-

ଆପଣ ଉଠି ବସନ୍ତୁ ଚୌଧୁରୀ ବାବୁ । ରିହାରସାଲରେ ଶୋଇବା ବେନିୟମ । ଏସବୁ ଅନର୍ଥର ସୂଚନା ଦିଏ ।

ତପନ

-

ନା ଆମି ଏଥର ଉଠିଲ । ଆପନି ରୋଲ କରୁନ୍-

ପ୍ରମୋଦ

-

ହଁ, କହି ମଦନ ତୋ ରୋଲ୍‍ଟା ।

ମଦନ

-

ଯାଃ-ମୋର ତ କାହିଁ ମୋଟେ ଫିଲିଙ୍ଗି ଆସୁନି କୋ-ଆର୍ଟିଷ୍ଟ ନାହିଁ, ସେଥିରେ ପୁଣି.....

ପ୍ରଫୁଲ୍ଲ

-

(ଚିଡ଼ିଉଠି) ଆଛା ବାବା-ତମେ ତମ ପାର୍ଟ କର । ମୁଁ ଆଉଥରେ ଯାଉଚି ତା’ଘରକୁ । ଯେତେ ଦଉଡ଼ିଲେ ବି ତମମାନଙ୍କର ମନ ବୁଝିବନି । ମୁଁ ଆସୁଚି ଗଗନବାବୁ ।

ଗଗନ

-

ଶୁଣନ୍ତୁ, ମୁଁ ବି ଯାଉଛି । ମୋ ଦେହଟା କାହିଁକି ଆଜି ଭଲଲାଗୁନି । ଟିକିଏ ସମସ୍ତଙ୍କୁ କହିଦିଅନ୍ତୁ–ଯେଝା ରୋଲ୍ ଭଲଭାବେ ପଢ଼ନ୍ତୁ । ନଚେତ୍ ମୁଖସ୍ଥ କରନ୍ତୁ । କାଲି ବେଳାବେଳି ଆରମ୍ଭ କରିବା । ମଝିରେ ମୋଟେ ଆଉ କେଇଟା ଦିନ ରହିଲାକି ?

ଅର୍ଜୁନ

-

ଆପଣ ଟିକିଏ ଭଲକରି ଚେଷ୍ଟାକରନ୍ତୁ ଗଗନ ବାବୁ । ନଚେତ୍ ଏଡ଼େ ସୁନ୍ଦର ବହିଟା ମାଟି ହୋଇଯିବ ।

ଗଗନ

-

ଆପଣ ବ୍ୟସ୍ତ ହୁଅନ୍ତୁନି ଅର୍ଜୁନ ବାବୁ । ପ୍ରତି ଆମେଚର ପାଟିରେ ଏମିତି ବିଶୃଙ୍ଖଳା ଥାଏ । ଶେଷବେଳକୁ ଡ୍ରାମା ଗୋଟା ଗୋଟା ଏମିତି ସକ୍ସେଶଫୁଲ ହୁଏ ଯେ ଦେଖିଲେ ଆଶ୍ଚର୍ଯ୍ୟ ମନେହୁଏ । ପେଷାଦାର ମଞ୍ଚରୁ’ବି ବଳିପଡ଼େ ।

ଅର୍ଜୁନ

-

ହଉ ଦେଖନ୍ତୁ । ଆଚ୍ଛା, ମୁଁ ଆଜି ଆସୁଚି l ନମସ୍କାର ! (ଚାଲିଗଲେ)-

ସମସ୍ତେ

-

ନମସ୍କାର !

ପ୍ରଫୁଲ୍ଲ

-

ଆମ ଆର୍ଟିଷ୍ଟମାନଙ୍କ ପ୍ରତି ଆପଣଙ୍କର ମତ କ’ଣ ଗଗନ ବାବୁ ?

ଗଗନ

-

ଟିକିଏ ଚେଷ୍ଟାକଲେ ସଜାଡ଼ି ହୋଇଯିବେ-ଦେଖିବା ।

ତପନ

-

ମୋଟ ଉପରେ ଖରାପ ହବେ ନା । ଆପନି ଦେଖିବେ ଚେମତ୍କାର ହବେ ।

ଗଗନ

-

ଆପଣ ଟିକିଏ ନିଜ ରୋଲ୍ ପ୍ରତି ସତର୍କ ରୁହନ୍ତୁ ମିଷ୍ଟର ଚୌଧୁରୀ ।

ତପନ

-

ମୋ’ପାଇଁ ନିଶ୍ଚିତ୍ ରହନ୍ତୁ ନା ଆପନ୍ । ଦେଖିବେ, ଷ୍ଟେଜରେ ଆମି ମେରେ ଦିବ । ଆମି ସୁନ୍ଦର ଅଭିନୟ କରିବ । ଅନେକ ଡ୍ରାମାର ଅଭିଜ୍ଞତା ଆଛେ ଯେ-

ଗଗନ

-

ହଉ ମୁଁ ଆଜି ଆସୁଛି ।

ସମସ୍ତେ

-

ନମସ୍କାର !

ଗଗନ

-

ନମସ୍କାର !

ପ୍ରଫୁଲ୍ଲ

-

ଚାଲନ୍ତୁ, ମୁଁ ତ ଲେଡ଼ି ଆର୍ଟିଷ୍ଟ ଘରକୁ ଯିବି । ପ୍ରମୋଦ ! ବହିଟା ତମ ଦାୟିତ୍ୱରେ ରହିଲା ।

ପ୍ରମୋଦ

-

ହଁ-ହଁ......[ସେ ବହି ଟେବୁଲ ଉପରୁ ତୋଳୁ ତୋଳୁ ମଞ୍ଚ ଅନ୍ଧାର ହୋଇଗଲା]

***

 

ତୃତୀୟ ପରିବେଶ

 

 

 

[ଅଭିନୟ ରଜନୀ । ବାହାରେ ବହୁ ଦର୍ଶକଙ୍କ ଭିଡ଼ । ନାଟକ ଆରମ୍ଭ ହେବା ଉପରେ । ତଥାପି ମଞ୍ଚ ଭିତରୁ ଗୋଳମାଳ ଶୁଭୁଚି । ସମୟ କ୍ରମେ କ୍ରମେ ବଢ଼ୁଛି । ପ୍ରଥମେ ବେଲ୍ ବାଜି ଅନେକ ସମୟ ମଞ୍ଚ ନୀରବ । କେବଳ ସ୍କିନ୍ ଉଠିଛି । ମଞ୍ଚ ଆଗରେ ଧାଁ-ଦଉଡ଼ ଚାଲିଛି ।]

 

 

 

ଗଗନ

-

(ଭିତରୁ) ମଦନବାବୁ ! ମଦନବାବୁ ଆହେ ପେଟିଙ୍ଗ୍‌ ହୁଅ ।

ମଦନ

-

(ଭିତରୁ) ରୁହନ୍ତୁମ-ୟାବ୍ ଏତେବେଳ ଯାଏଁ ଲେଡ଼ି ଆର୍ଟିଷ୍ଟ ଆସିନି-ଡ୍ରାମା ପୁଣି କ’ଣ ନା ‘ମଞ୍ଚ ନାୟିକା’ ଯାଃ-ଯାଃ....

ପ୍ରମୋଦ

-

(ଭିତରୁ)– ଏ ମଦନବାବୁ, ମୁଁ ଦେଖୁଛି ତମେ ସବୁ ଭଣ୍ଡୁର କରିବ । ଏଡ଼େ ପାଟିରେ କହୁଛ ପବ୍ଲିକ ଶୁଣିବେନି ।

 

 

[ଏହି ସମୟରେ ଦର୍ଶକ ମଞ୍ଚରୁ ପାଟିତୁଣ୍ଡ ହେଲା]

୧ମଦର୍ଶକ

-

ହଇହୋ ବାବୁ ! ତମେ ଡ୍ରାମା କରିବ’ନା ଏମିତି ସ୍କ୍ରିନ୍ ପଛଆଡ଼େ ପାଟିତୁଣ୍ଡ କରୁଥିବ ।

୨ୟଦର୍ଶକ

-

ଆହେ ଆମେ କ’ଣ ଏମିତି ରାତି ଅନିଦ୍ରା ହୋଇ ବସିଥିବୁ ? ଏଇ ଗୋଟାଏ ତାମସା ଚାଲିଛି-ଫେରା ଆମ ପଇସା ।

 

 

[ହଠାତ୍ ମଞ୍ଚ ବାହାରକୁ ଆସିଛି । ପ୍ରମୋଦ ହାତରେ ଧରିଅଛି ବହି ।]

ପ୍ରମୋଦ

-

ଆଜ୍ଞା, ଆଉ ଦୁଇମିନଟ୍-ଏକ ପ୍ରାରମ୍ଭିକ ସଙ୍ଗୀତ ଆରମ୍ଭ ହେଉଚି । ତା’ପରେ ନାଟକ ଆରମ୍ଭ ହେଇଯିବ ।

୩ୟ ଦର୍ଶକ

-

କର ଏମିତି ଦି’ମିନଟ୍‌, ଦି’ମିନଟ୍‌ ବସିଥିବୁ ? ରାତି ଆସି କେତେ ହେଲାଣି ?

ପ୍ରମୋଦ

-

କ’ଣ କରିବୁ ଆଜ୍ଞା, ଫିମେଲ୍ ରୋଲ୍ ନେଇ ଆମେ ଟିକେ ହଇରାଣରେ ପଡ଼ିଯାଇଛୁ । ଓଡ଼ିଶାର ଅବସ୍ଥା ତ ଆପଣମାନେ ଜାଣନ୍ତି- ସେ ବିଷୟରେ ମୁଁ ଆଉ ଅଧିକ କ’ଣ ବା କହିବି । ଆମ କ୍ଳବ ଖାତାରେ ଅନେକ ଝିଅଙ୍କ ନାଁ ଅଛି । କିନ୍ତୁ ସେମାନେ ରୋଲ୍ କରିବାକୁ ନାରାଜ । ସରକାର ସିନା ନାରୀମାନଙ୍କୁ ଆଗକୁ ଠେଲୁଛନ୍ତି-କିନ୍ତୁ ସେମାନେ ସବୁବେଳେ ପଛରେ । ଘର କଣ ଛାଡ଼ିବାକୁ ନାରାଜ ।

୧ମ ଦର୍ଶକ

-

ତମ ବଚନିକା ରଖ ହୋ-କ’ଣ ଗୀତଫୀତ ବୋଲିବ ଯଦି ବୋଲ ।

୨ୟଦର୍ଶକ

-

ନାମ ବଡ଼ା, ଦର୍ଶନ ଥୋଡ଼ା’-କାମ ତ କିଛିନାହିଁ, ଖାଲି ମୁହଁ ଫୁଟାଣି ।

ପ୍ରମୋଦ

-

ଆପଣମାନେ ଆଉ ବ୍ୟସ୍ତ ହୁଅନ୍ତୁନି । ଏ ଅଯଥା ବିଳମ୍ବପାଇଁ ମୁଁ ଆମ କ୍ଳବ ତରଫରୁ ଦୁଃଖ ପ୍ରକାଶ କରୁଛି ।

୩ୟଦର୍ଶକ

-

ଯା’ମ କେତେ ଦୁଃଖ କରୁଚ ।

ପ୍ରମୋଦ

-

(ମଞ୍ଚରୁ ଭିତରକୁ ପଶିଯାଇ) ଏ, ଗୀତଦିଅ—ଗୀତ । ଲୋକେ ବିରକ୍ତ ହେଲେଣି ।

 

 

[କିୟତ୍ ବିଳମ୍ବ ପରେ ମଞ୍ଚ ଭିତରୁ ଗୀତର ସୁର ଭାସିଆସିଲା । କ୍ଷଣକପାଇଁ ଦର୍ଶକ ମହଲରୁ ଉତ୍ତେଜନା କମିଗଲା । ଗୀତର ଠିକ୍ ଶେଷବେଳକୁ ମଞ୍ଚରେ ଦେଖାଦେଲେ ପ୍ରଫୁଲ୍ଲ ।

ପ୍ରଫୁଲ୍ଲ

-

ଉପସ୍ଥିତ ଦର୍ଶକ ମଣ୍ଡଳୀ, ଭାଇ ଓ ଭଉଣୀମାନେ । ଆମର କ୍ଳବ ତରଫରୁ ଆଜିର ନାଟକ ‘ମଞ୍ଚ ନାୟିକା’ ଆରମ୍ଭ ହେବାକୁ ଯାଇଛି । ବାସ୍ତବିକ ମଞ୍ଚ ନାୟିକାମାନଙ୍କର ଯେଉଁ ବହୁଳ ଅଭାବ ଏ ନାଟକର ବିଘ୍ନପାଇଁ ଦାୟୀ । ଯାହାହେଉ ଆମର ନାୟିକା ଉର୍ବଶୀ ବର୍ତ୍ତମାନ ଆଜି ପ୍ରସ୍ତୁତ ହେଲେଣି ।

୧ମଦର୍ଶକ

-

ଓହୋ, ତମେ ବାବୁ ଏତେ ଆଉ ଗପନି । ଜଣେ ଜଣେ କ’ଣ ଏମିତି ତାମସା କଲାଭଳି ବାହାରି ଆସୁଚ ।

୨ୟଦଶକ

-

ବହୁତ ଗପିଲଣି-ବିଶ୍ରାମ ନିଅ ଯା ! ଟୋପେ ପାଣି ପିଇଦେଇ ଆସ ।

 

 

[ଦ୍ଵିତୀୟ ହୁଇସିଲ୍ ବାଜିଲା]

ପ୍ରଫୁଲ୍ଲ

-

ଆଉ ମିନିଟିଏ ଆଜ୍ଞା ! ଏଇ ଦ୍ଵିତୀୟ ହୁଇସିଲ ହୋଇଗଲା । ଏହାପରେ ତୃତୀୟ ବେଲ—ଏବଂ ଅନତି ବିଳମ୍ବେ ନାଟକଟି ଆରମ୍ଭ ହେବ । ମୁଁ ଆସୁଚି ଆଜ୍ଞା

୩ୟଦର୍ଶକ

-

ଆଉ ପୁଣି କାହିଁକି ଆସିବ-ଯା ।

ପ୍ରଫୁଲ୍ଲ

-

(ଭିତରକୁ ଯାଉ ଯାଉ)—ଏ ନାଟକ ଆରମ୍ଭ କର ଜଲ୍‍ଦି । ଲେକେ ତାତିଗଲେଣି ।

 

 

[ହଠାତ୍ ମଞ୍ଚ ଅନ୍ଧାର ହୋଇଗଲା । ଶିଳ୍ପୀମାନଙ୍କର ନାମ ପରଦାରେ ଦେଖାଗଲା ଏବଂ ପରେ ପରେ ତୃତୀୟ ବେଲ୍ ବାଜିଲା । ପୁଣି ମଞ୍ଚ ଆଲୋକିତ ହେଲାବେଳକୁ ଦେଖାଗଲା ଏକ ସୋଫା ସେଟ୍‌ରେ ଆସିନ ବିପିନ ଚୌଧୁରୀ । ଆଗରେ କେତେକ ଆବଶ୍ୟକୀୟ କାଗଜପତ୍ର ଆଖିରେ ପ୍ରଚକ୍ଷୁ । ହାତରେ କଲମ । ସେ କାର୍ଯ୍ୟ ବ୍ୟସ୍ତ । ଏଇ ସମୟରେ ଘରଭିତରୁ ଡାକି ଡାକି ଆସିଲା ଦୀନା ।]

ଦୀନା

-

ବାବୁ ! ଏ ବାବୁ !

ବିପିନ

-

ଏଃ, ଚୁପ୍ ହଅ । ଖାଲିଗୁଡ଼ା ବକ୍ ବକ୍ ହଉଚି ।

ଦୀନା

-

ମଲା ମୋର-ଏ ସବୁଗୁରା ରାଗ ମୋରି ଉପରେ । ଛୁଆଲୋ ମୋର । ମୁଁ ଡାକିଲି ବିଲି କ’ଣ ମୋରି ଦୁଷ ହେଲା ?

ବିପିନ୍

-

କାହିଁକି ଡାକୁଚୁ ଶୁଣେ ?

ଦୀନା

-

ମଲା ମୋର-ଭାତ ଦି’ଟା ସେଣେ ଚାଉର ହେଲାଣି । ଏ ଦେଈକି ଏବେ ଖୁଜିଲି ଯେ-ସିଏ ବି କୁଆଡ଼େ ଛୁ । ମଝିରେ ସବୁ ଶୁଣୁଛି ମୁଁ ଯାହା (ବସିପଡ଼)- ମତେ ଯା ମରଣ ନହେଲା ।

ବପିନ

-

ମୁଁ ଏଇଲାଗେ ଖାଇବିନି ଯା-

ଦୀନା

-

ଏ ନହେଲା ଏବେ ନାଇଁ । କେଇ ନ ଖା । ମୋ ପେଟ କ'ଣ ଏକା ପୁଡ଼ିଯାଉଚି କି !-(ସେ ଚାଲି ଯାଉଥିଲା)-

ବିପିନ୍

-

ଦୀନା !

ଦୀନା

-

ଫେରେ ମତେ କାହିଁକି ଡାକିଲୁ ? ମୁଁ ପରା କଇଚି ମତେ ସେମିତି ଡାକିବ ନେଇଁ ବିଲି ।

ବିପିନ୍

-

ଶୁନ୍ !

ଦୀନା

-

ମଲା ମୋର-କ’ଣ କଉନା ? ଏ ଖୋଲଟି କ’ଣ କହୁଚମ ।

ବପିନ

-

ଦେଈ ନ ଖାଇଲେ ତୁମି ଖାଇବ ନା ଦୀନା ? ତୁମି କ’ଣ ଦେଈକୁ ଏତେ ଭଲପାଅ ?

ଦୀନା

-

(ମୁହଁରେ ଲୁଗାଦେଇ) ମଲା ମୋର-ତେମେ ଆପଣ ସେ ସରମ କଥାଗୁରା କ’ଣ କଉଚମ । ଆମ ଦେଈ-ଆହା-ହା ! ସାକ୍ଷାନ୍ତ ନକ୍ଷମୀ ପରତିମା ତ ଆଉ ।

ବିପିନ୍

-

(ଉଠିଆସିଲା ଦୀନା ପାଖକୁ)–ହଉ, ହଉ... (ସେ ଆଉ ପାର୍ଟ ଶୁଣି ନ ପାରିବାରୁ-ଷ୍ଟେଜ୍ ମଝିରେ ଠିଆ ହୋଇଗଲେ । ପ୍ରମଟିଙ୍ଗ୍ ଜୋରରେ ହେଲା ।)-

ପ୍ରମୋଦ

-

(ପଛରୁ) ବିପିନ୍ ବାବୁ ! ଆରେ କୁହ-ଚାଲ ଦୀନା, ଖାଇବା ଚାଲ ।

୧ମଦର୍ଶକ

-

(ମଞ୍ଚ ବାହାରୁ)-ଅହେ ପ୍ରମ୍ପଟିଙ୍ଗ ଶୁଭୁଚି ।

୨ୟଦର୍ଶକ

-

(ମଞ୍ଚ ବାହାରୁ)-ଆସ୍ତେ ଆସ୍ତେ ପ୍ରମ୍ପଟିଙ୍ଗ କର ।

ଦୀନା

-

ମଲା ମୋର-ତେମେ ଆପଣ ଏମିତି ଖୁଣ୍ଟାତାମିତ ଠିଆହେଇଚ କ’ଣ ମ—ଖାଇବ ଚାଲ ।

ଉର୍ବଶୀ

-

(ପ୍ରବେଶି)-ଡାଡ଼ି ! ମୁଁ ଏଥର ଅନର୍ସରେ ଫାଷ୍ଟ ହେଇଚି ଡାଡ଼ି ! ଭେରିଗୁଡ଼୍ ନିଉଜ୍ ।

 

 

(ନଇଁପଡ଼ି ବିପିନ୍ ଚୌଧୁରୀଙ୍କର ପାଦଧୂଳି ନେଉଥିଲା । ବିପିନ୍ ଝିଅକୁ ତୋଳିଧରି)

ବପିନ୍

-

ସତେ ମାଆ ? ଚୋମତକାର ! ମୁଁ ଜାନେ ମା’-ତୁ ନିଶ୍ଚୟ ଭାଲୋ କରିବୁ ।

ଦୀନା

-

ଇଲୋ ଦେଖ ବା-ମୋ ଦେଈ କେତେଗୁରା ପାଶ୍ କରିଛନ୍ତି । ମୁଁ କାହାକୁ କହିବି ଲୋ । ଏ ଦେଈ ! ଦେଈ ବା-

ଉର୍ବଶୀ

-

କ’ଣ ?

***

 

ଦର୍ଶକ ମଞ୍ଚରୁ

 

୧ମ ଦର୍ଶକ

-

ଉର୍ବଶୀ ମୁହଁ ଦିଶୁନି । ୟାବ କିଏ ଜଣେ ମୋଚଡ଼ ଡାଇରେକ୍ସନ ଦେଇଚି ।

୨ୟ ଦର୍ଶକ

-

ଡାଇରେକ୍ସନ ଭୁଲ୍‍ ଦିଆହେଇଚି ।

୩ୟଦର୍ଶକ

-

ହିରୋଇନ୍ ମୁହଁ ଦିଶୁନି ମୋଟେ ।

ବିପିନ୍

-

ଦିଶିବ, ଦିଶିବ-ଆପଣମାନେ ପାଟିକରନ୍ତୁନି ।

ପ୍ରମୋଦ

-

ଏ ମର୍ଡ଼ର ! ମର୍ଡ଼ର !! ସବୁ ସଇଲା ।

ଵିପିନ୍

-

ସରି ! ମୁଁ ଭୁଲରେ କହି କିଛି ଆଜ୍ଞା ! ଓଟା ଆମର ପାର୍ଟନଏ ।

ଦୀନା

-

ଦେଈ ! ତମେ ଖାଇବାକୁ ଆସିବ ଟି । ବାବୁଙ୍କ ମୁଣ୍ଡ ଠିକ୍ ନାଇଁ । କ’ଣ ନାଇଁ କ’ଣ ଗପୁଛନ୍ତି ପରା ।

ଉର୍ବଶୀ

-

ତୁ ଚାଲ ଦୀନା ! ଡାଡ଼ି ! ....ତମେ ଏ ଯାଏଁ ଖାଇନ ନା ? ଆସ ଖାଇବ ।

ଵିପିନ୍

-

ହଁ ଚାଲ୍ ମାଆ । ହେଲେ ମତେ କିନ୍ତୁ କ୍ଷୁଧା, ହୁଏଛେ ନା । (ଜିଭ କାମୁଡ଼ି ପକେଇ)-ମାନେ ମତେ ଭୋକ କରୁନି ।

ଉର୍ବଶୀ

-

ନା ଡାଡ଼ି ! ତମେ ନ ଖାଇଲେ ମୁଁ ଖାଇବିନି ।

ବିପିନ

-

ଓଃ ! ମୁଁ ଦେଖୁଛି ତୁମି ଦିନକୁଦିନ ଅବାଧ୍ୟ ହୁଏ ପାଉଚୁ ମା । ହଉ ଚାଲ ଚାଲ-ଆମ ଖାତାପତ୍ର ଧରି ଯାଉଛି-

ଉର୍ବଶୀ

-

ଶୀଘ୍ର ଆସ । (କହି ଚାଲିଗଲା)-

 

 

[ବିପିନ ଖାତାପତ୍ର ବାନ୍ଧି ଯିବାବେଳେ ବାହାରୁ ଆସିଛି ରଣଜିତ ।]

ରଣଜିତ

-

ଚୌଧୁରୀ ସାହେବ !

ବିପିନ

-

କେ ? ଓ, ତୁମି !

ରଣଜିତ

-

ମୁଁ ଆପଣଙ୍କ ପାଖକୁ ଆସିଚି ଆଜ୍ଞା !

ବିପିନ

-

ମୋ ପାଖକୁ-କେନ ?

ରଣଜିତ

-

ଉର୍ବଶୀର ବିବାହ ପ୍ରସ୍ତାବ...

ବିପିନ

-

କ’ଣ ? ଉର୍ବଶୀ ବିବାହ କରିବ ତୋମାର ସଙ୍ଗେ ? ଅସମ୍ଭବ ! ଏକବାରେ ଅସମ୍ଭବ !

ରଣଜିତ

-

ଚୌଧୁରୀ ସାହେବ ! ଆପଣ ତ ଦିନେ ପ୍ରସ୍ତାବ ପଠାଇଥିଲେ ମୋ ସହିତ ଉର୍ବଶୀର....

ଵିପିନ

-

ଭୁଲ୍, ଭୁଲ୍-ସବାଇ ମିଥ୍ୟା !

ରଣଜିତ

-

ଭୁଲ୍ ? ମିଛ ? ଆପଣଙ୍କର ମୋର ଉପସ୍ଥିତି କ’ଣ ମିଛ ? ଏ ଆଭିଜାତ୍ୟର ବଡ଼ିମା କ’ଣ ମିଛ ?

ବପିନ

-

ତୁମି ମନେରଖ ରଣଜିତ୍–ମୋ ଆଭିଜାତ୍ୟର ମିନାର ଦେହରେ କେତେ କେତେ ତୁମଭଳି ଯୁବକଙ୍କୁ ଝୁଲାଇ ଦେଇପାରେ । ବିପିନ ଚୌଧୁରୀ କିଛି କମ୍ ଲୋକ ନଏ ?

ରଣକିତ

-

ଆପଣ ଭାବିଦେଖନ୍ତୁ ଚୌଧୁରୀ ସାହେବ ! ଏହି ଆଭିଜାତ୍ୟର ଅହମିକା ନେଇ-ଆପଣ ମୋତେ ଆଜି ଆଘାତ କରିଛନ୍ତି-କିନ୍ତୁ ମନେରଖନ୍ତୁ ବିପିନ ଚୌଧୁରୀ, ଏ ଅପମାନର ପ୍ରତିଶୋଧ ନେବାର ଯୁବକ ଏ ଦେଶରେ ଅଭାବ ନାହାନ୍ତି । [ବପିନ୍ ନାକରେ ହାତ ମାରୁଥିଲା । ମାତ୍ର ରଣଜିତ କହି କହି ଚାଲିଗଲା ।]

ପ୍ରମୋଦ

-

(ସିନ୍ ପଛରୁ)-ରଣଜିତ୍ ! ଓ ରଣଜିତ୍ ! ଆରେ ତମ ରୋଲ୍ ସରିନି ଆରେ ସେଇଠି ରୁହ ।

ବିପିନ

-

(କାନପାତି ଶୁଣି) ରଣଜିତ୍ ! ଓରେ ରଣଜିତ୍ ! ତୋମାର ପାର୍ଟ ସରିନି ?

ପ୍ରମୋଦ

-

(ଭିତରୁ) ଏଃ ମର୍ଡ଼ର ! ମର୍ଡ଼ର !! ସବୁ ଭଣ୍ଡୁରକଲେ ।

 

 

[ସାଙ୍ଗେ ସାଙ୍ଗେ ହୁଇସିଲ ବାଜିଲା ଏବଂ ମଞ୍ଚ ଅନ୍ଧାର ହେଲା ।]

***

 

ଦର୍ଶକ ମଞ୍ଚ

 

୧ମ ଦର୍ଶକ

-

ହଇହୋ ! ଏ ଡ୍ରାମା ହଉଚି ନା ନବରଙ୍ଗ ଚାଲିଛି ।

୨ୟ ଦର୍ଶକ

-

ଏ ଗୋଟାଏ ଫାର୍ଶ ଚାଲିଛି । ୟାବ କେହି ଗୋଟାଏ ପାର୍ଟ ପଢ଼ିନାହାନ୍ତି ।

୩ୟ ଦର୍ଶକ

-

ହଇହୋ ସେକ୍ରେଟାରୀ ବାବୁ ! ଆମେ କ’ଣ ପଇସା ଦେଇଥିଲୁ ଏଇଆ ଦେଖିବାକୁ ?

ପ୍ରଫୁଲ୍ଲ

-

(ହଠାତ୍ ମଞ୍ଚ ଆଗକୁ ଆସି)-କ୍ଷମାକରିବେ ଆଜ୍ଞା ! କେତେକ ଅପରିହେୟ କାରଣବଶତଃ ଏମିତି ଗୋଳମାଳ ହେଇଗଲା ।

୧ମ ଦର୍ଶକ

-

ଆପଣମାନେ କ’ଣ ଏମିତ ଗୋଳମାଳ କରୁଥିବେ–ଆଉ ଆମେ ଏଠି ବସି ଦେଖୁଥିବୁ ?

ପ୍ରଫୁଲ୍ଲ

-

ଶୁଣନ୍ତୁ ଆଜ୍ଞା ! ଆମ କଳାକାରମାନେ ଖୁବ୍ କମ୍ ସମୟ ଭିତରେ ନାଟକଟିକୁ ଶିଖିଛନ୍ତି ଏବଂ ମଞ୍ଚସ୍ଥ କରିଛନ୍ତି । ସେଥିପାଇଁ ଭୁଲ୍ ତ୍ରୁଟି ରହିଥାଇପାରେ । ଆପଣମାନେ ଯଦି ସୁଧାରି ନ ନେବେ–ତେବେ ଏ ତରୁଣ ସୌଖୀନ କଳାକାରମାନେ, ଉତ୍ସାହିତ ହେବେ କେମିତି । ପ୍ରଧାନ କଥାହେଲା ଆମର ନାୟିକା-ଯାହାର ନାମ ଉର୍ବଶୀ...ଦେଖନ୍ତୁ ଆଜ୍ଞା ! ଆପଣମାନେ ମତେ ପୁରୁଣା ଯୁଗ ନାଟକର ସୂତ୍ରଧର କହିପାରନ୍ତି । କିନ୍ତୁ ମୁଁ ନାଚାର । ମତେ ସବୁକଥା କହିବାକୁ ହେବ ।

୨ଦର୍ଶକ

-

ଆଚ୍ଛା ବାବୁ-ତମେ ଏମିତି ଥରକୁଥର ଆସି ଗପୁଥିବ, ନା’ ନାଟକ ଅଭିନୟ କରି ଦେଖେଇବ ?

ପ୍ରଫୁଲ୍ଲ

-

ନା ଆଜ୍ଞା, ନାଟକ ତ ନିଶ୍ଚୟ ହେବ-ଆଉ ସେ ନାଟକ ତ ଆପଣମାନଙ୍କପାଇଁ-

୩ୟ ଦର୍ଶକ

-

ହଇହୋ-କାଇଁ ଏମିତି ଆସି ଗପୁଚ । ରାତି କ’ଣ ଆଉ ତମପାଇଁ ବସିଚି ? ଡ୍ରାମା ନ କରିବ ଯେବେ ଆମ ପଇସା ଫେରେଇଲ ।

ପ୍ରଫୁଲ୍ଲ

-

ଦେଖନ୍ତୁ ଆଚ୍ଛା-ଆପଣମାନେ ଯଦି ଏମିତି ହେବେ-

୧ମଦର୍ଶକ

-

କ’ଣ ଆଉ ହେଲୁ ହୋ ! ୟାବ ଡ୍ରାମା ଫ୍ରାମା କିଛି ନାହିଁ–ସଂଜ ପହରୁ ବଚନିକା ଚାଲିଚି । ରଖ ତମ ଡ୍ରାମା-ଫେରା ଆମ ପଇସା ।

ପ୍ରଫୁଲ୍ଲ

-

ଶୁଣନ୍ତୁ ଆଜ୍ଞା–

୨ୟ ଦର୍ଶକ

-

ଆଉ ଶୁଣିବୁ କ’ଣ ହେ-ନା-ନା, ଆମକୁ ଆମ ପଇସା ଫେରେଇଲ ।

ପ୍ରଫୁଲ୍ଲ

-

ଶୁଣନ୍ତୁ-

୩ୟ ଦର୍ଶକ

-

ଫେରା ଆମ ପଇସା ।

ପ୍ରଫୁଲ୍ଲ

-

(ଭିତରକୁ)-ଆବେ ସିନ୍ ଉଠା, ମଲା ମଣିଷ ଏଣେ ।

 

 

[ହଠାତ୍ ମଞ୍ଚ ଅନ୍ଧାର ହୋଇଗଲା । ଦର୍ଶକ ମଞ୍ଚରୁ ଘନ ଘନ ସୂସୁରି ଶୁଭିଲା-। ପାଟିତୁଣ୍ଡ ହେଲା । ଟିକିଏ ବିଳମ୍ବରେ ମଞ୍ଚ ପୁଣି ଆଲୋକିତ ହେଲା-। ଦେଖାଗଲା ଦୀନା ଘର ସଫା କରୁଚି । ଗୀତ ଗାଉଛି । ବାହାରୁ ପାଗଳର ହସ ହସି ଶେଖରର ପ୍ରବେଶ ।]

ଶେଖର

-

ହାଃ-ହାଃ-ହାଃ... … ମୁଁ ପାଗଳ ? ନା-ନା-ନା, ମୁଁ ପାଗଳ ନୁହେଁ । ମୁଁ .... ମୁଁ

ଦୀନା

-

(ଛାତିରେ ଛେପ ପକାଇ)-ତୁ... ତୁ କିଏ ବା ? ଆଲୋ ତୁ କିଏ ? ମଲା ମୋର-କିଛି କଉନୁ କ’ଣ ମ’ ଛେପରା ମଣିଷଟା କି ? ଏ ତୁ କିଏ ?

ଶେଖର

-

କିଏ ତୁ ? ତୁ ମତେ ଚିହ୍ନିପାରୁନୁ ଦୀନା ? ନା, କେହି ଚିହ୍ନି ପାରିବେନି-

ଦୀନା

-

ଇଲୋ ଦେଖ ବା-ମୋ ନାଆଁ କେମିତ ଜାଣିଲ ବାବୁ ? ମୁଁ ତମକୁ କୋଉଠି ଦେଖିଲା ମିତି ପରତେ ହଉଛି l

ଶେଖର

-

ଦୀନା ! ମୁ ଶେଖର ।

ଦୀନା

-

ଏଁ, ଶେଖର ବାବୁ ! ଆଲୋ ତମେ ଏମିତି .... ତମର କ’ଣ ହେଲା ବା-

ଶେଖର

-

ଜେଲ୍‍ର ଅନ୍ଧକାର ଘର ଭିତରେ ସଢ଼ି ସଢ଼ି–ମୋ ମୁଣ୍ଡଟା ବିକ୍ତୃତ ହୋଇଯାଇଛି ଦୀନା । ଏ ଦୁନିଆ ମୋତେ ପାଗଳ କହୁଚି-ଉପହାସ କରୁଛି । କିନ୍ତୁ ମୁଁ ବେଶ୍ ଭଲ ଅଛି ।

ଦୀନା

-

ଏ ବାବୁ, ତମକୁ କିଏ ପାଗଳ କଇବ ବା–ତମ ଆପଣକୁ କଇଲାବାଲା କିଏ ଅଛି । ଭାରି କଇଲାବାଲା ? ଏ ବାବୁ, ମୁଁ ଦେଇକି ଡାକିହେବି ।

ଶେଖର

-

ଦେଇ ? ହାଃ-ହାଃ-ହାଃ-। ଆରେ ନା ନା -ନା, ସେ ବି ମୋତେ କହିବ ପାଗଳ-

ଦୀନା

-

ଏଁ ବାବୁ, ତେମେ ଆପଣ ତ ଚାଲିଗଲ–ଆମଦେଈ...ତମକୁ କଅଣ କଅମ ଖୁଜୁଛି ? ହେଲେ ସେତେବେଳକୁ ତ ତମେ ଆପଣ ନଥିଲ ଆଉ-

ଶେଖର

-

ଏଁ ? ତମ ଦେଈ ମୋତେ ଖୋଜୁଥିଲା ? ଉର୍ବଶୀ ଖୋଜୁଥିଲା ମୋତେ ? …(ହସିଉଠିଲା ପୁଣି)... ମୋତେ ସେ ମନେରଖିଛି ?

ଦୀନା

-

ମଲା ମୋର–ଏ ତମେ ଆପଣ କ’ଣ କଉଚ ମ ବାବୁ । ଦେଈ ମୋର ତମ ଆପଣକୁ ମନେରଖିବନି ? ଆଉ କାହାକୁ ମନେରଖିବ ବା ?

ଶେଖର

-

ଉର୍ବଶୀ !.....

ଦୀନା

-

ତେମେ ରଇଥା ମ ବାବୁ-ମୁଁ ଦେଈକି ଡାକିଦଉଚି ! (ଭିତରକୁ ଯାଉ ଯାଉ)- ଦେଇ !

ଊର୍ବଶୀ

-

(ପ୍ରବେଶି) କ’ଣ ହେଲା କିରେ ଦୀନା ?

ଦୀନା

-

ଏଇତ ଦେଈ ଆଇଲେଣି-

ଶେଖର

-

ଉର୍ବଶୀ ।

ଉର୍ବଶୀ

-

କିଏ ?

ଶେଖର

-

ମତେ ଚିହ୍ନିପାରୁନା ଉର୍ବଶୀ-ଏଇ ଘରେ, ଏଇ ସ୍ଥାନରେ, କେତେ ମଧୁର ସନ୍ଧ୍ୟା ଆମେ ଖୁସି ଗପରେ ବିତାଇ ଦେଇଛେ । ଆଜି.....

ଉର୍ବଶୀ

-

ତମେ ତା’ହେଲେ....

ଖେଖର

-

ମୁଁ ଶେଖର ।

ଉର୍ବଶୀ

-

ଶେଖରେ !!

ଶେଖର

-

ହଁ ଉର୍ବଶୀ–ମୁଁ ତମରି ଶେଖର ।

ଦୀନା

-

ଏ, ତେମେ ମୋଟେ ଚିହ୍ନିପାରୁନ ଦେଈ ! ....ମୁଁ କ’ଣ କରିବି ଲୋ ! ନାଁ ଦେଈ ତମର ଏମିତି ଭୁଲା ମନ-

ଉର୍ବଶୀ

-

ତୁ ଚୁପ୍ ହଅ ଦୀନା ।

ଦାନ

-

ହଉ ହେଲା, ମୁଁ ଚୁଉପ୍ ହେଲି । ମୋ ଉପରେ ଏମିତି ଗରଗର ସରସର କାହିଁକବା-ମୁଁ କ’ଣ କାହାର ପାଞ୍ଚ ପଚିଶି ଖାଏନା ଧାରେ ମ । ମୁଁ ଯାଏଲୋ ମା —(ମୁହଁ ମୋଡ଼ିଦେଇ ଯିବା)—

ଶେଖର

-

ଉର୍ବଶୀ ! ତମେ ମୋତେ ମୋଟେ ଚିହ୍ନିପାରୁନ ?

ଉର୍ବଶୀ

-

ତମେ ଫେରିଯାଅ ଶେଖର- ।

ଶେଖର

-

ଉର୍ବଶୀ । ଏଇମାତ୍ର ତିନିଟାବର୍ଷ ବ୍ୟବଧାନରେ ତମେ ଏମିତି ପାଷାଣୀ ହୋଇପାରିଲ ? ମୁଁ ଜାଣେ, ସମସ୍ତେ ମୋତେ ଅବିଶ୍ଵାସ କରୁଛନ୍ତି । ତମେ’ବି ମତେ ଅବିଶ୍ଵାସ କରିବ । କର–ହେଲେ ତମେ ମନେରଖ ଉର୍ବଶୀ, ଶେଖର ନିର୍ଦ୍ଦୋଷ । ସେ ପୂରାପୂରି ନିର୍ଦ୍ଦୋଷ । —(ଚାଲିଗଲା ସେ)—

ଉର୍ବଶୀ

-

(ହଠାତ୍ ଉକ୍ତି ବଦଳାଇ) - ଶେଖର ! ଶୁଣିଯାଅ ଶେଖର ! ଶେଖର … !

ଦୀନା

-

(ପ୍ରବେଶି)-ମଲା ମୋର, ତାଙ୍କୁ ତ ତେମେ ଘଉଡ଼େଇଁ ଦେଲ-ପୁଣି ପଛାନ୍ତେ ଡାକୁଚ କାଇଁକି ? ଏ କୋଉ ଆଡ଼ିକା କଥା ବା ।

ଉର୍ବଶୀ

-

ମୁଁ ଛଳନା କରୁଥିଲିରେ ଦୀନା-ସେ ଏମିତି ...

ଦୀନା

-

ମଲା ମୋର-ପୁଣି ଛଳନା ଗୋଟାଏ କ’ଣ ବା । ଏତେଦିନ ପରେ ମିଣିପଟା ଫେରିଛି । ଅହା-ହା, ମୋ ଅଗରେ ନୁକଟା କି ମଧୁରିଆ କଥାସବୁ କହିଗଲାନା-

ଉର୍ବଶୀ

-

ନିଜ ଜୀବନରେ ଚିକ୍ତତା ବୋଳି, କଥାରେ କେବଳ ସେ ମଧୁରତା ରଖିଛନ୍ତିରେ ଦୀନା । ଏସବୁ ହେଇଛି, ମୋରିପାଇଁ । ମୋରିପାଇଁ ସେ ପାଗଳ ଆଉ ମୋରିପାଇଁ ସେ ହେଲେ କଇଦୀ ।

ଦୀନା

-

ଏଁ ? ଏ କୁଆଡ଼ିକାର କଥା ବା । ଶେଖର ବାବୁ ତ ନିଜେ ଗୁଣ ଭୋଇ ଜେଲ୍‍ଗଲେ-ଆଉ ତେମେ କ ଣ କଲ ବା । ସେ କୁଆଡେ ପରା ଅଫିସରୁ ଟଙ୍କା ଚୋରି କରି ....

ଉର୍ବଶୀ

-

ମିଛ, ମିଛ, ସବୁ ମିଛ । ମୁଁ ତାଙ୍କୁ ଭଲଭାବେ ଚିହ୍ନିଛି । ରଣଜିତ୍ ବାବୁଙ୍କ କଥାରେ ପଡ଼ି ତାଡ଼ୀ ସିନା ଏମିତିଆ କାଣ୍ଡଟା କରିଦେଲେ -ନ ହେଲେ ତାଙ୍କର କିଛି ଦୋଷ ନଥିଲାରେ ।

ଦୀନା

-

ମଲା ମୋର-ତମେ ସେଇକଥା ବାବୁଙ୍କୁ କଇଦଉନା ଦେଈ ?

ଉର୍ବଶୀ

-

କହିଛି, ଅନେକଥର କହିଚି । ହେଲେ ସେ ସବୁଦିନେ ସେମିତି ଅବୁଝା । ଶେଖର ବାବୁଙ୍କୁ ତାଙ୍କର ପୂରା ଅବିଶ୍ଵାସ । ତୁ’ତ ଜାଣୁ ଦୀନା - ଶେଖର ବାବୁ ଏ ଘରର କେତେ ଆପଣାର ଥିଲେ l କିନ୍ତୁ ଡାଡ଼ି ତାଙ୍କର ମୋର ମିଳାମିଶାକୁ ପସନ୍ଦ କରୁନଥିଲେ ।

ଦୀନା

-

ମଲା, ମୁଁ କ’ଣ ସେଗୁରା ଜାଣିନି?

ଉର୍ବଶୀ

-

ଦୀନା ! ତୁ ଯାଇ ଥରେ ଶେଖର ବାବୁଙ୍କୁ ଡାକିଆଣିବୁ । ଥରେ ତାଙ୍କ ସହିତ ମନଖୋଲି କଥା ହୁଅନ୍ତିରେ ।

ଦୀନା

-

ମଲା ମୋର-ମୁଁ କୁଆଡ଼ୁ ତାଙ୍କୁ ପାଇବି ବା ଏ ଅକାଳେ ସକାଳେ ସେ ସିନା କୁଆଡ଼ୁ ଗଳିପଇଲେ-ମୁଁ କୁଆଡ଼ୁ ତାଙ୍କୁ ପାଇବିବା । ଛୋପରା କଥା l

ରଣଜିତ

-

(ପ୍ରବେଶି)-ଉର୍ବଶୀ !

ଦୀନା

-

ଏଇ ନୂଆବାବୁ ଆଇଲେଣି ।

ରଣଜିତ

-

ତମ ମନ ଭଲନାହିଁକି ଉର୍ବଶୀ ?

ଉର୍ବଶୀ

-

ନା-

ରଣଜିତ

-

କାହିଁକି, କ’ଣ ହେଇଚି ?

ଉର୍ବଶୀ

-

କିଛି ହେଇନି ଯେ-

ଦୀନା

-

ମଲା ମୋର-ଦେଈ କଇ ଦଉନା....

ଉର୍ବଶୀ

-

ତୁ ଚୁପ୍ ହଅ ଦୀନା !

ଦୀନା

-

ଏ ମୋ ଉପରେ କାଇଁ ଏମିତି ରାଗୁଚ ବା ।

ରଣଜିତ

-

ମୁଁ ଶୁଣିଲି ଶେଖର କୁଆଡ଼େ ଜେଲ୍‍ରୁ ଖଲାସ ହେଇଚି–ତମେ ଜାଣ ?

ଉର୍ବଶୀ

-

ଜାଣେ – ବର୍ତ୍ତମାନ ସେ ଏଠିକି ଆସିଥିଲେ

ରଣଜିତ

-

ଶେଖର ଆସିଥିଲା ?

ଉର୍ବଶୀ

-

ହଁ !

ଦୀନା

-

ମଲା, ସେଇଥିପାଇଁ ସେ ମନ ଦୁଃଖ ! ମୋ ଉପରେ ମିଛରେ ସିନା ଗରଗର ସରସର ।

ରଣଜିତ୍

-

ଉର୍ବଶୀ !

ଉର୍ବଶୀ

-

ଆଜି ଆପଣ ଫେରିଯାଆନ୍ତୁ ରଣଜିତ୍ ବାବୁ । ଡାଡ଼ି ଘରେ ନାହାନ୍ତି । ବରଂ ଡାଡ଼ି ଥିଲାବେଳେ ଆସିବେ ।

ରଣଜିତ

-

ଉର୍ବଶୀ ! ତମେ ଏ କ’ଣ କହୁଚ ?

ଉର୍ବଶୀ

-

ହଁ ରଣଜିତ ବାବୁ ! ଜୀବନର ସାଥୀ ନିର୍ବାଚନ ପିଲାଖେଳ ନୁହେଁ । ମୁଁ ବହୁ ଆଗରୁ ସେକଥା ନିର୍ଣ୍ଣୟ କରିସାରିଛି ।

ରଣଜିତ

-

ଉର୍ବଶୀ !

ଉର୍ବଶୀ

-

ହଁ ରଣଜିତ୍ ବାବୁ - ମୁଁ ଆଉ ଦୁଇନାବରେ ପାଦଦେଇ ଭୟ କାତର କଣ୍ଠରେ ଆର୍ତ୍ତନାଦ କରିପାରିବିନି ।

ରଣଜିତ

-

ଉର୍ବଶୀ ! ତମେ ତମ ବାପାଙ୍କ ଭଳି ଏମିତି ନିଷ୍ଠୁର ହେଇପାରୁଚ ?

ଉର୍ବଶୀ

-

ମୁଁ ନିଷ୍ଠୁର ନୁହେଁ ରଣଜିତ ବାବୁ-ମୁଁ ଉପାୟହୀନ । ମୋତେ ପୁଣି ଶେଖରକୁ ପ୍ରକୃତ ବାଟକୁ ଫେରାଇ ଆଣିବାକୁ ପଡ଼ିବ ।

ରଣଜିତ

-

(ହାତଧରି)—ଉର୍ବଶୀ ଥରେ …..

ଦୀନା

-

ତମେ ଆସ ମ ଦେଇ-ଏ ଛୋପରା କଥାରୁ କ’ଣ ମିଳିବ l

ଉର୍ବଶୀ

-

ଆପଣ ଫେରିଯାଆନ୍ତୁ ରଣଜିତ ବାବୁ – ଡାଡ଼ି ଘରେନାହାନ୍ତି ।

 

 

[ଏଇ ସମୟରେ ହଠାତ୍ ବିପିନ୍ ଚୌଧୁରୀ ପଶିଆସିଲେ । ତାଙ୍କର ଏଠି ରୋଲ୍ ନ ଥିଲା ।]

ବିପିନ୍

-

ଆମି ଅଛି, ଅଛି ମା !

ରଣଜିତ

-

(ବିରକ୍ତ ହୋଇ)-ହଇ ହୋ ତପନ ଦା ! ତମର ତ ଏଠି ରୋଲ୍ ନାହିଁ - ତମେ ପଶିଆସିଲ କେମିତି ?

ବିପିନ୍

-

(ଜିଭ କାମୁଡ଼ିପକାଇ)-ସରି ! ଖମା କର୍ବେ....

ପ୍ରମୋଦ

-

ହଇହୋ ବିପିନ୍ ଚୌଧୁରୀ ! ତମର ଏଠି ରୋଲ୍ ନାହିଁ-ପଶିଗଲା କେମିତି ? – ସବୁ ଭଣ୍ଡୁର ହେଲା, ୟାଃ ।

ରଣଜିତ

-

ଆବେ ହୁଇସିଲ୍ ଦେ ବେ -ହଠାତ୍ ହୁଇସିଲ ବାଜିଲା ଓ ମଞ୍ଚ ଅନ୍ଧାର ହେଲା ।

***

 

ଦର୍ଶକ ମଞ୍ଚ

 

୧ମ ଦର୍ଶକ

-

ହଇ ହୋ ବାବୁ ! ଏ କି ଲୀଳା ଚାଲିଛି ?

୨ୟ ଦର୍ଶକ

-

ୟାବ୍ ଏକକୁ ଏକ ମହାବଳୀ । ଏତେବେଳକୁ କ’ଣ କେହି ଶୁଣିବେ ।

୩ୟ ଦର୍ଶକ

-

ଖାଲି ସିନ୍ ପଛଆଡ଼େ ପାଟି କରିବେ । ହୋ-ହୋ ହୁଅ l

୧ମ ଦର୍ଶକ

-

କେହି ଗୋଟାଏ କ’ଣ ଶୁଣିବେ । ଉଠ ହୋ ଯିବା-

 

 

[ହଠାତ୍ ପୁଣି ହୁଇସିଲ ବାଜିଉଠିଲା । ଦେଖାଗଲା ରାଜପଥରେ ଚାଲିଛି ଶେଖର ।]

ଉର୍ବଶୀ

-

(ଡାକି ଡାକି)-ଶେଖର ! ଶେଖର !!

 

 

(ପ୍ରବେଶି) ଶେଖର !!!

ଶେଖର

-

କିଏ ଉର୍ବଶୀ !

ଉର୍ବଶୀ

-

ମତେ କ୍ଷମାକର ଶେଖର ।

ଶେଖର

-

କ୍ଷମା ? ହୁଁ ଲକ୍ଷପତିର ଅଲିଅଳି କନ୍ୟାକୁ କି କ୍ଷମାଦେବି ମୁଁ । ମୁଁ ତ ଜଣେ ସାମାନ୍ୟ ଶ୍ରମିକ ମାତ୍ର- ତୁମ ହୁକୁମର ଚାକର । ପେଟ ବିକଳରେ ତହବିଲ୍‍ରୁ ଚୋରିକରେ–ଜେଲ୍ ଖଟେ ।

ଉର୍ବଶୀ

-

ନା-ନା, ଶେଖର, ତମେ ନିର୍ଦ୍ଦୋଷ । ଡାଡ଼ି ରଣଜିତକୁ ଚିହ୍ନି ସାରିଛନ୍ତି । ମୁଁ ତାଙ୍କୁ ସବୁ ବୁଝାଇଦେଇଛି । କାଲି ପୁଣି ଅଫିସ୍‍ରୁ ସହସ୍ରାଧିକ ଟଙ୍କା ନିଅଣ୍ଟ ପଡ଼ିଛି । କୁହ ଶେଖର, ତମେ କ'ଣ କାଲି ଥିଲ ।

ଶେଖର

-

ଉର୍ବଶୀ !

ଉର୍ବଶୀ

-

ହଁ ଶେଖର ! କାଲି ରଣଜିତର ଅସଲ ସ୍ଵରୂପ ଧରାପଡ଼ିଛି….. ଆଉ ମୁଁ ମୋର ନିଷ୍ପତ୍ତି କରି ଶେଖର ! ଆଜି ଡାଡ଼ିଙ୍କୁ ସ୍ପଷ୍ଟ ଦେଇଛି, ଆମର ବିବାହ…...

ଶେଖର

-

ଉର୍ବଶୀ ! ତମେ କ'ଣ ଏଇ ନିସ୍ଵ ସର୍ବହାରକୁ ବିବାହ କରି ସୁଖୀ ହୋଇପାରିବ ?

ଉର୍ବଶୀ

-

ଶେଖର ! ତୁମେ ମତେ ଆଉ ଲଜ୍ଜା ଦିଅନି । ଆମର ବିବାହ ପରେ ତମେ କ’ଣ ଲକ୍ଷପତିର ସମ୍ମାନ ପାଇବନି ଶେଖର ? ମୋ ସମ୍ପତ୍ତି କ’ଣ ତମର ନୁହେଁ ?

ଶେଖର

-

ଉର୍ବଶୀ !

ଉର୍ବଶୀ

-

ଶେଖର !

 

 

(ଦୁହେଁ ଦୁହିଁଙ୍କୁ ଭିଡ଼ି ଧରିଛନ୍ତି । ଏହି ସମୟରେ ଦର୍ଶକ ମଞ୍ଚରୁ ଶୁଭିଲା ।)

୧ମ ଦର୍ଶକ

-

ହ୍ୟାପ୍ ୪/୫ଟା ସିନ୍ ଗଳେଇ ପକେଇଛନ୍ତି ହୋ ।

୨ୟ ଦର୍ଶକ

-

ହଁ ହେ- ବିଷୟବସ୍ତୁ ମଝିରୁ ଛାଡ଼ିଦେଲାଭଳି ଜଣାପଡ଼ୁଛି ।

୩ୟ ଦର୍ଶକ

-

ରୁହ ରୁହ ପାଟିକରନା-

 

 

[ଏହି ସମୟରେ ମଞ୍ଚରେ ଦେଖାଗଲା ରଣଜିତ୍ ସେ ଖୁବ୍ ଜୋରରେ ଆଘାତ କରିଛି ସେଖରକୁ ।]

ରଣଜିତ୍

-

ବଦମାସ୍ !

ଶେଖର

-

(ତଳେପଡ଼ି) ଆଃ…...

ଉର୍ବଶୀ

-

ଶେଖର ! କ’ଣ ହେଲା ଶେଖର !.....

ଶେଖର

-

କିଏ ?

ଦୀନା

-

(ପ୍ରବେଶି) ଆଲୋ, ଆଲୋ ଏ କ’ଣ ? ହେଁ ମୁଁ କ’ଣ କରିବିବା । ଇଲୋ ମୋ ଦେଈଙ୍କ ଶାଢ଼ି ଛାଡ଼ ।

ରଣଜିତ୍

-

ଚୁପ୍ !

 

 

[ଦୀନା ଉର୍ବଶୀକୁ ଧରି ଟାଣୁଥିଲା । ଏହି ଟାଣଭିଡ଼ା ଭିତରେ ଉର୍ବଶୀର ଶାଢ଼ି ରଣଜିତ ହାତରେ । ଜଟ ରହିଛି ଦୀନା ହାତରେ]

ଦୀନା

-

ଇଲୋ ମୋ ଦେଈଙ୍କ ଜଟ !

ଶେଖର

-

ଏ, ଉର୍ବଶୀ….! ଆହେ ଅର୍ଜୁନ ବାବୁ ଆପଣ ?

ଦୀନା

-

ଆରେ, ଆରେ- ଭଣ୍ଡରୁ ହେଲା ସବୁ । ପକାଅ ସିନ୍ । ଆବେ ସିନ୍ ପକା । ୟାବ୍ ଅଣ୍ଡିରାକୁ ମାଇକିନିଆ କରି ବେଜିତ୍ କଲେ ଏ ଶଳେ ।

 

 

[ଅର୍ଜୁନ ବାବୁ ଲାଜରେ ପଳାଇଗଲା ପରେ ମଞ୍ଚ ଅନ୍ଧାର ହେଲା ଓ ହୁଇସିଲ୍ ବାଜିଲା । ଏହି ସମୟରେ ଦର୍ଶକ ମଞ୍ଚରେ ଖୁବ୍ କୋଳାହଳ ଖେଳିଗଲା ।]

୧ମ ଦର୍ଶକ

-

ହଇଏ ସେକ୍ରେଟାରୀ ବାବୁ !

୨ୟ ଦର୍ଶକ

-

ୟାବ, ରୀତିମତ ଏହା ଗୋଟିଏ ପ୍ରହସନ ଚଲେଇଛନ୍ତି ହୋ ।

୩ୟ ଦର୍ଶକ

-

ହଇହୋ ଫୁଟାଣିଆ ସେକ୍ରେଟାରୀ ବାବୁ !

୧ମ ଦର୍ଶକ

-

ପକାଅ ତେଲା । ପଇସା ଫେରାନ୍ତୁ ନହେଲେ…...

୨ୟ ଦର୍ଶକ

-

ଅହେ ଲୁଚିଲ କ’ଣ ? ଆମ ପଇସା ଫେରା ।

୩ୟ ଦର୍ଶକ

-

ଓ ସେକ୍ରେଟାରୀ ବାବୁ !

୧ମ ଦର୍ଶକ

-

ୟାବ୍, ଇଏ ଗଲେ କୁଆଡ଼େ ?

୨ ଦର୍ଶକ

-

ଚିର ସିନ୍ ।

୩ୟ ଦର୍ଶକ

-

ଚିର ସିନ୍ ।

ପ୍ରଫୁଲ୍ଲ

-

[ମ୍ରିୟମାଣ ହୋଇ ଆସି ଦେଖାଦେଲ ମଞ୍ଚରେ !]

 

 

ଆଜ୍ଞା ! ମୁଁ ହାତଯୋଡ଼ି ଆପଣମାନଙ୍କୁ କ୍ଷମା ମାଗୁଛି ।

୧ମ ଦର୍ଶକ

-

ହଇହୋ, କି କ୍ଷମା ! ଆମଠୁ ପଇସାନେଇ ଅଣ୍ଡିରାକୁ ମାଇକିନିଆ ବେଶ କରି ଆଣି ନଚଉଛ । ସେଥିରେ ପୁଣି କ୍ଷମା ?

୩ୟ ଦର୍ଶକ

-

ଏଇଟା କ’ଣ ଗୋଟାଏ ଭାଣ୍ଡ କାରଖାନା ?

ପ୍ରଫୁଲ୍ଲ

-

ଦେଖନ୍ତୁ ଅଜ୍ଞା, ବାତ୍ୟାଅଞ୍ଚଳକୁ ସାହାଯ୍ୟ କରିବାପାଇଁ ଅମେ ଏ ଅଭିନୟଟି କରିବାକୁ ମନସ୍ଥ କରିଥିଲୁ । ଟିକଟ ବିକ୍ରୟ ଲବ୍ଧ ଧନ ଆମେ ଅସହାୟ ଜନତାଙ୍କ ପାଖକୁ ପଠାଇଥାନ୍ତୁ । ଅସହାୟମାନଙ୍କୁ ସହାୟ ହେବାପାଇଁ ଆମେ ଯେ କେମିତ ଅସହାୟ ଅବସ୍ଥାର ସମ୍ମୁଖୀନ ହୋଇଛୁ ସେକଥା ଆପଣମାନଙ୍କୁ ଆଉ ଅଧିକ କ’ଣ କହିବି ?

୧ମ ଦର୍ଶକ

-

ନାଇଁ, ଆଉ କହିବ କ’ଣ ? ପୁରୁଷକୁ ମାଇକିନିଆ କରି ଦେଖେଇଦେଲ, ଆଉ କହିବ କ’ଣ ?

ପ୍ରଫୁଲ୍ଲ

-

ଶୁଣନ୍ତୁ ଆଜ୍ଞା ! ସେଥିପାଇଁ ଆମେ ନାଚାର । ଆପଣ ସେ’ଲାଗି ଆମ କ୍ଳବକୁ ବି ଦୋଷଦେବା ଅନାବଶ୍ୟକ । କ୍ଳବର ସଭ୍ୟମାନେ ଜାଣନ୍ତିନି ନାୟିକା ଉର୍ବଶୀ ଭୂମିକାର ଲୋକଟି ପୁରୁଷ-ନା ସ୍ତ୍ରୀ ।

୨ଦର୍ଶକ

-

ହଇହୋ ତୁମକୁ କ’ଣ ଲେଡ଼ି ଆର୍ଟିଷ୍ଟ ମିଳିଲାନି ?

ପ୍ରଫୁଲ୍ଲ

-

ମିଳିଥିଲେ ଆଜ୍ଞା ଅମେ ଏମିତି ହଇରାଣ କାହିଁକ ହେଇଥାନ୍ତୁ, କୁହନ୍ତୁ । ଫିମେଲ୍ ଆର୍ଟିଷ୍ଟ ଆମଠାରୁ ଆଡ଼ଭାନ୍ସ ନେଲେ-ଶେଷରେ କନ୍ଦେଇଦେଲେ ଆଜ୍ଞା । ତା’ପରେ ଏ ଦେଶର ପରସ୍ଥିତି ଆପଣମାନେ ଜାଣନ୍ତି । ଝିଅମାନେ କଲେଜରେ ପଢ଼ିଲେ ବି ତାଙ୍କର ପୁରାତନ ରୂଢ଼ି ପ୍ରଥା ଦୂର ହୋଇନାହିଁ । ସେମାନେ ପୁଅମାନଙ୍କ ସାଙ୍ଗରେ ମିଶି ରୋଲ୍ କରିବାକୁ ଲଜ୍ଜାବୋଧ କରୁଛନ୍ତି ।

୩ଦର୍ଶକ

-

ତମେ ଏକା ସମସ୍ତଙ୍କ ଲାଜ ବଞ୍ଚେଇଦେଲ । ହଇହୋ-ତମର ପୂର୍ବ ପୁରୁଷରେ କିଏ ଡ୍ରାମା କରିଥିଲେ ନା ତମେ ପ୍ରଥମେ ?

ପ୍ରଫୁଲ୍ଲ

-

ଦେଖନ୍ତୁ ଆଜ୍ଞା, ଆପଣମାନେ ଆଉ ଅପମାନ ଦିଅନ୍ତୁନି । ଅପମାନରୁ ବଞ୍ଚିବୁ ବୋଲି ଶେଷରେ ମୁଁ ନାଟ୍ୟକାର ମହାଶୟଙ୍କୁ ଆପଣମାନଙ୍କ ଆଗରେ ଅପଦସ୍ତ କରେଇଲି । ସେଥିପାଇଁ ମୁଁ କ୍ଷମା ଚାହୁଁଛି । ଯେତେବେଳେ ଲେଡ଼ି ଆର୍ଟିଷ୍ଟ ନ ଆସିଲେ, ନାଟ୍ୟକାର ମହାଶୟ ହାତଗୋଡ଼ ଧରି ଉର୍ବଶୀ ରୋଲ୍ କରିବାକୁ ମୁଁ ଅନୁରୋଧ କଲି । ଶେଷରେ ତା’ଛଡ଼ା ମୋର ଅନ୍ୟ ଉପାୟନଥିଲା ।

୧ମ ଦର୍ଶକ

-

ଖୁବ୍ ଭଲ କଲ !

୨ୟଦର୍ଶକ

-

କ’ଣ ଆମେ ଏମିତି ବସିବୁ ନା ଯିବୁ ?

୩ଦର୍ଶକ

-

ରାତି କେତେ ହେଲାଣି-କ’ଣ ଜଣାପଡ଼ୁନି କି ?

ପ୍ରଫଲ୍ଲ

-

ହଁ ଆଜ୍ଞା ! ୟା’ପରେ ଆମେ ସଙ୍ଗୀତ ପରିବେଷଣ କରି ଶୁଣାଇବୁ ।

୨ୟଦର୍ଶକ

-

ହଉ, ହଉ ଥାଉ । ବହୁତ ପରିଶ୍ରମ କଲଣି ।

ପ୍ରଫୁଲ୍ଲ

-

ଏ ଗୀତ ଦିଅ, ଗୀତ !

୧ମ ଦର୍ଶକ

-

କି ଗୀତ ହୋ ! କି ଗୀତ ଆଉ ଶୁଣେଇବ ?

୨ୟଦର୍ଶକ

-

ହଇ ହୋ କି ଗୀତ ?

୩ୟଦର୍ଶକ

-

ଫେରା ଆମ ପଇସା ।

 

 

[ହଠାତ୍ ଦର୍ଶକମାନେ ଷ୍ଟେଜକୁ ଚଢ଼ିଆସିଲେ । ତା’ପରେ ଜାତୀୟ ସଙ୍ଗୀତ ଶୁଣାଗଲା । ସଙ୍ଗୀତ ଶେଷରେ ପ୍ରଫୁଲ୍ଲ କହିଉଠିଲେ]

ପ୍ରଫୁଲ୍ଲ

-

ଅଭିନୟଟି ଅସମାପ୍ତେ ସମାପ୍ତ ହେଲା ଆଜ୍ଞା ।

***